ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବ ପକ୍ଷରୁ ଜଳଛତ୍ର ଓ ପଣା ବଣ୍ଟନ କାର୍ଯ୍ୟକ୍ରମ  

ଭୁବନେଶ୍ୱର,୧୯/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୋଖରୀପୁଟ ସ୍ଥିତ ପ୍ରିଷ୍ଟିନ୍ ଗ୍ରିନ୍ସ ଫେଜ୍-୨ ରେ ‘ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବ’ ପକ୍ଷରୁ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି ଅବସରରେ ୧୧୦ ଲିଟରରୁ ଅଧିକ ପଣା ପଥଚାରୀ, ନିର୍ମାଣ କର୍ମୀ, ଡେଲିଭେରି କର୍ମଚାରୀ, ଅଟୋ ଏବଂ ଟ୍ୟାକ୍ସି ଚାଳକଙ୍କ ସହିତ ଅଞ୍ଚଳକୁ ଆସୁଥିବା ସାଧାରଣ ନାଗରିକମାନଙ୍କୁ ବଣ୍ଟନ କରାଯାଇଥିଲା ।

ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ଅନୁଭବ ହେଉଥିବା ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ‘ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବ’ ପକ୍ଷରୁ ପଥଚାରୀମାନଙ୍କ ସହଯୋଗ ନିମନ୍ତେ ଏହି ଜଳଛତ୍ର ପ୍ରୟାସ ଆରମ୍ଭ କରାଯାଇଛି । ଏହି ଜଳଛତ୍ରକୁ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତିଥିରେ ଆରମ୍ଭ କରାଯାଇଥିଲା ଏବଂ ଏହା ଆସନ୍ତା ଶ୍ରମିକ ଦିବସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ କାର୍ଯ୍ୟକାରୀ ରହିବ । ଏହି ଜଳଛତ୍ରରେ ପ୍ରତିଦିନ ୧୦୦ ଲିଟରରୁ ଉର୍ଦ୍ଦ୍ୱ ପଣା ସମ୍ପୂର୍ଣ୍ଣା କ୍ଲବର ସଦସ୍ୟମାନଙ୍କ ଦ୍ୱାରା ବଣ୍ଟନ କରାଯାଉଛି ।

ଏହି ପଣା ବଣ୍ଟନ କାର୍ଯ୍ୟକ୍ରମଟି ସୁପର୍ଣ୍ଣା ମିଶ୍ର, ସଂଘମିତ୍ରା ସତପଥୀ, ମହୁଆ ରାୟ, ସ୍ମିତା ପଣ୍ଡା, ରଶ୍ମି ଗୌଡ, ମୃଣ୍ମୟୀ ମହାପାତ୍ର, ସ୍ନେହପ୍ରଭା ଦାସ, ଅନିମା ଦାଶ ଓ ଦେବଶ୍ରୀ ବାନାର୍ଜୀଙ୍କ ସହ କ୍ଲବର ଅନ୍ୟାନ୍ୟ ବରିଷ୍ଠ ସଦସ୍ୟମାନଙ୍କ ଦ୍ୱାରା ସମନ୍ୱୟ କରାଯାଇଥିଲା ।

ଏହି ଅବସରରେ ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବର ଅଧ୍ୟକ୍ଷା ପ୍ରତିମା ଦାଶ କହିଥିଲେ, “ଜଳଛତ୍ର କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବର ସଦସ୍ୟମାନଙ୍କ ଏକ ସାମାଜିକ ପ୍ରୟାସ ଅଟେ । ଆମେ ବିଶେଷକରି ନିର୍ମାଣ କର୍ମୀ, ଡେଲିଭେରି କର୍ମଚାରୀ, ଅଟୋ ଏବଂ ଟ୍ୟାକ୍ସି ଚାଳକଙ୍କୁ ସହାୟତା କରିବାକୁ ଚାହୁଁଛୁ ଯେଉଁମାନେ ଏହି ତୀବ୍ର ଗ୍ରୀଷ୍ମ ଋତୁରେ ବିନା ବିରତିରେ ଆମକୁ ସେବା ଦେବା ନିମନ୍ତେ ପରିଶ୍ରମ କରୁଛନ୍ତି । ଏହି ପ୍ରୟାସ ମାଧ୍ୟମରେ ଏହି କର୍ମୀମାନଙ୍କୁ ପଣା ବଣ୍ଟନ ଦ୍ୱାରା କାର୍ଯ୍ୟରେ ସହଯୋଗ ଆମର ମୁଖ୍ୟ ଉଦ୍ଦେଶ୍ୟ ।”

Leave a Reply

Your email address will not be published. Required fields are marked *