ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ

ଭୁବନେଶ୍ୱର,୨୪/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ । ସେ ହେଉଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୂତ ସମ୍ପତିି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଗତକାଲି ଏକକାଳୀନ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱରର ବଡ଼ଗଡ଼ ସ୍ଥିତ ତାଙ୍କ ତିନି ମହଲା କୋଠା ସହିତ ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତା ତହସିଲ ର ରଣପୁର ସ୍ଥିତ ତାଙ୍କ ଫାର୍ମ ହାଉସ୍, ବିଏମସି ଅଫିସ ରେ ଥିବା ତାଙ୍କ ଚାମ୍ବର ଓ ରାୟଗଡ଼ା ଜିଲ୍ଲା ଗୁଣୁୁପୁର ସ୍ଥିତ ତାଙ୍କ ପୈତୃକ ଘରେ ଏହି ଚଢ଼ାଉ କରାଯାଇଥିଲା ।

ଚଢ଼ାଉ ବେଳେ ତାଙ୍କର ପୁଳା ପୁଳା ସମ୍ପତି ଥିବା କଥା ସାମ୍ନାକୁ ଆସିଛି । ଭୁବନେଶ୍ୱର ବଡ଼ଗଡ଼ ରେ ଥିବା ତାଙ୍କର ତିନି ମହଲା କୋଠାଟି ୪୫୬୦ ବର୍ଗଫୁଟ ଜାଗାରେ ନିର୍ମିତ ହୋଇଛି । ଗୁଣୁୁପୁରରେ ତାଙ୍କର ଗୋଟିଏ ଦୁଇ ମହଲା ଘର ଅଛି । ସେହିପରି ତାଙ୍କର ୩ଟି ଦାମୀ ପ୍ଲଟ୍ ଅଛି । ସେଥିରୁ ୨ଟି ଭୁବନେଶ୍ୱରର ବଡ଼ଗଡ଼ ଅଂଚଳରେ ଓ ଅନ୍ୟଟି ଖଣ୍ଡଗିରି ଅଂଚଳରେ ରହିଛି । ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତା ତହସିଲର ରଣପୁର ମୌଜାରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର ୧ ଏକର ୫୭ ଡିସିମିଲ ଜାଗାରେ ଏକ ଫାର୍ମ ହାଉସ୍ ରହିଛି । ଏହି ଫାର୍ମ ହାଉସରେ ତାଙ୍କର ଦୁଇଟି ଘର ଅଛି । ସେଥିରୁ ଗୋଟିଏ ଦୁଇ ମହଲା ବିଶିଷ୍ଟ । ତା’ ସହିତ ଏକ ମାଛ ପୋଖରୀ ଅଛି । ଏହି ଫର୍ମ ହାଉସରେ ସେ ନଡ଼ିଆ, କଦଳୀ, ଡ୍ରାଗନ ଫ୍ରୁଟ୍, ପିଜୁଳି, ଲେମ୍ବୁ, ଆମ୍ବ, ବ୍ଳାକ ବେରୀ ଓ ରକ୍ତ ଚନ୍ଦନ ଭଳି ଗଛ ଲଗାଇଛନ୍ତି ।

ଏଠାରେ ଗୋଟିଏ କୁକୁଡ଼ା ଫାର୍ମ ମଧ୍ୟ ଅଛି । ସେଥିରେ ମଧ୍ୟ ଏବେ କୁକୁଡ଼ା ଅଛନ୍ତି । ଶ୍ରୀ ପଟ୍ଟନାୟକଙ୍କଠାରୁ ଗୋଟିଏ ହଳ ହରିଣ ଶିଙ୍ଗ ଓ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ତାଙ୍କ ଘରୁ ୪୬୦ ଗ୍ରାମର ସୁନା ଅଳଙ୍କାର ମିଳିଥିବା ବେଳେ ତାଙ୍କର ବ୍ୟାଙ୍କ ଓ ବୀମା ଜମା ସହିତ ମ୍ୟୁଚୁଆଲ ଫଣ୍ଡ ନିବେଶର ମୂଲ୍ୟ ୮୦ ଲକ୍ଷ ୩୫ ହଜାର ୩୭୧ ଟଙ୍କା ବୋଲି ଭିଜିଲାନ୍ସ ହିସାବ କରିଛି । ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୨ଟି ଦୁଇ ଚକିଆ ଗାଡ଼ି ରହିଛି । ଜବତ ନଗଦ ଓ ଘରକରଣା ସାମଗ୍ରୀର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ପ୍ଲଟଗୁଡ଼ିକ ବାସ୍ତବ ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ମାପଚୁପ ଓ ହିସାବ ଜାରି ରହିଛି ।

ଶ୍ରୀ ପଟ୍ଟନାୟକ ୧୯୯୨ରେ ସରକାରୀ ଚାକିରି ଆରମ୍ଭ କରିଥିଲେ । ସେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଏନଏସିରୁ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ତାଙ୍କ ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ । ସେଠାରେ ସେ ୨୦୦୬ ପର୍ଯ୍ୟନ୍ତ ରହିଥିଲେ । ସେହି ବର୍ଷ ସେ ଆସିଷ୍ଟାନ୍ଟ ଇଞ୍ଜିନିୟର ବା ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ବ୍ରହ୍ମପୁର ମ୍ୟୁନିସିପାଲିଟିକୁ ଆସିଥିଲେ । ୨୦୧୧ରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କୁ ତାଙ୍କର ବଦଳି ହୋଇଥିଲା । ୨୦୧୬ରେ ସେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ ଓ ସେହି ବିଏମସିରେ ରହିଥିଲେ । ୨୦୨୪ ଅକ୍ଟୋବର ମାସରେ ସେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ ଓ ଏବେ ସୁଦ୍ଧା ବିଏମସିରେ କାର୍ଯ୍ୟ କରୁଛନ୍ତି । ୨୦୧୧ ରୁ ସେ ବର୍ତମାନ ସୁଦ୍ଧା ଦୀର୍ଘ ବର୍ଷ ଧରି ବିଏମସି ରେ କାର୍ଯ୍ୟକରୁଛନ୍ତି ।

Leave a Reply

Your email address will not be published. Required fields are marked *