ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

– ଜୁନ୍‌ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

– ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା

– ସବୁଜ ବଳୟ ସୃଷ୍ଟି ପାଇଁ ଯୋଜନା

– ନିର୍ମାଣ ହେବ ୫୦ କୋଠରି ବିଶିଷ୍ଟ କ୍ଲବ୍‌ ହାଉସ୍‌

– ଜଳ ସଂରକ୍ଷଣ ଏବଂ ସ୍ୱରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୧୮/୦୩/୨୦୨୬(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜଧାନୀ ଭୁବନେଶ୍ୱରରେ ନିର୍ମାଣାଧୀନ ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ ଅଗ୍ରଗତି ନେଇ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଞ୍ଚଳ ଗସ୍ତ କରିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମ୍ପୂର୍ଣ୍ଣ ଅଞ୍ଚଳ ବୁଲି ଦେଖିବା ସହ ବାକିଥିବା କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ବରିଷ୍ଠ ଅଧିକାରୀ ଏବଂ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ।

୬ଟି ଟାୱାରବିଶିଷ୍ଟ ଏହି ଆବାସିକ କମ୍ପ୍ଲେକ୍ସରେ  ମୋଟ ୩୦୦ଟି ଫ୍ଲାଟ ରହିଛି । ସେଥି ମଧ୍ୟରୁ ୧୦୫ଟି ଟାଇପ୍‌ ୭ ଫ୍ଲାଟ୍‌ ରହିଥିବାବେଳେ ୧୯୫ଟି ଟାଇପ୍‌ ୬ ଫ୍ଲାଟ୍‌ର ବ୍ୟବସ୍ଥା ରହିଛି । କମ୍ପ୍ଲେକ୍ସରେ ୧୩୦ ଜଣ ବିଧାୟକ ଏବଂ ୧୭୦ ଜଣ ବରିଷ୍ଠ ଅଧିକାରୀ ରହିବା ଭଳି ବ୍ୟବସ୍ଥା ରହିବ । ଏଥି ସହିତ ପରିସରରେ ସ୍ୱରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଏବଂ ଭୂତଳ ଜଳ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ସହ ପରସରକୁ ସବୁଜ ବଳୟରେ ପରିଣତ କରବା ପାଇଁ ବଡ଼ ବଡ଼ ଉପାଦେୟ ଗଛ ଲଗାଯିବ । ସେହିଭଳି ଅତିଥିମାନଙ୍କ ପାଇଁ ୫୦ କୋଠରିବିଶିଷ୍ଟ ଏକ କ୍ଲବ୍‌ ହାଉସ୍‌ ନିର୍ମାଣ ନେଇ ଆଲୋଚନା ହୋଇଥିଲା ।

ଏହି ବୈଠକରେ ବିଧାୟକ ଶ୍ରୀ ବାବୁ ସିଂ, ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ୍‌ ସାହାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ମୁଖ୍ୟଯନ୍ତ୍ରୀ ଏବଂ ଠିକା ସଂସ୍ଥାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

-0-

ସୁଜିତ ରଞ୍ଜନ ସ୍ୱାଇଁ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *