ଭୁବନ,୧୮/୦୩/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ୨ ନମ୍ବର ୱାର୍ଡ ନୂଆ ବଜାର ବାସିନ୍ଦା ଅସହାୟ ନିସହାୟ ଦଳିତ ବୃଦ୍ଧ ଭୀମ ମଳିକ ଙ୍କୁ ନଗରପାଳ ସାହା ହୋଇ ଅନ୍ତେଷ୍ଟି କ୍ରିୟାରେ ସହଯୋଗ କରିଥିବା ଜଣାପଡ଼ିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ନୂଆ ବଜାର ଅରବିନ୍ଦ ମାର୍ଗର ବାସିନ୍ଦା ଭୀମ ମଳିକ (୭୫) ଙ୍କ ସ୍ତ୍ରୀ ୬ ମାସ ପୂର୍ବେ ମୁର୍ତ୍ୟୁ ବାରଣ କରିଥିଲେ । ବଡ ପୁଅ ଅଜୟ ମଲିକ (୪୫) ପାଗଳ । ମଝିଆଁ ପୁଅ ସଞ୍ଜୟ ମଲିକ (୪୦) ଓଡ଼ିଶା ବାହାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏକ ଗାଡ଼ି ଦୁର୍ଘଟଣାରେ ସେହିଠାରେ ମୃତ୍ୟୁ ବରଣ କଲେ ।
ଭୀମ ର ସାହା ଭରସା କହିଲେ ସାନ ପୁଅ କବିର । ଭୀମ ପକ୍ଷାଘାତ ରେ ଶୀକାର ହେବା ପରେ ସାନ ପୁଅ କବିର ତାଙ୍କୁ ପ୍ରଥମେ କାନ୍ଧରେ ବୋହି ଓ ପରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗବନ୍ଧୁ ଜରାଶ୍ରମ ତରଫରୁ ମିଳିଥିବା ଏକ ହୁଇଲ ଚେୟାର ରେ ବସାଇ ହାଟ ବଜାର ବୁଲି ଭିକ୍ଷା ମାଗି ତାଙ୍କ ବାପାଙ୍କ ଖାଇବା ପିଇବା ବୁଝୁଥିଲେ । ଦୁର୍ଭାଗ୍ୟକୁ ଗତ ମାର୍ଚ୍ଚ ୩ ତାରିଖ ଦିନ ସାନ ପୁଅ କବିର (୩୫) ଙ୍କ ର ଅକାଳ ମୃତ୍ୟୁ ହୋଇଥିଲା ଓ ତାଙ୍କ ଘର ପୋଡିଯାଇଥିଲା । କଥାରେ ଅଛି, ଦଇବ ଯେତେବେଳେ ଦାଉ ସାଧେ,ସବୁ କିଛି ଛଡ଼ାଇ ନିଏ । ଭୀମ ର ସେହିଭଳି ସ୍ଥିତି ଉପୁଜିବାରୁ ଶେଷରେ ପରିତ୍ୟକ୍ତ ଅବସ୍ଥାରେ ଥିବା ପୁରୁଣା ଥାନା କ୍ୱାଟରରେ ଝାଡ଼ା ପରିସ୍ରା ହୋଇ ଅଖିଆ ଅପିଆ ପଡ଼ି ରହିଲେ ।
ମହାମାରୀ କରୋନା ସମୟରେ ବିଷ୍ଣୁପ୍ରିୟା ଫାଉଣ୍ଡେସନ ତରଫରୁ ଅକ୍ସିଜେନ ଯୋଗାଣ ହେଉ କିମ୍ବା ରାତି ଅଧରେ ମେଡିକାଲ ସହାୟତା ହେଉ ପ୍ରତି କ୍ଷେତ୍ରରେ ସାହାଯ୍ୟ ସହଯୋଗ କରୁଥିବା ତଥା ଅସହାୟ ନିସହାୟ ଗରିବ ଗୁରୁବା ଙ୍କ ଦରଦୀ ବନ୍ଧୁ କୁହାଯାଉଥିବା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଏ ସମ୍ପର୍କରେ ଖବର ପାଇ ତାଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦେଇଥିଲେ । ଭୀମ ର ଆଜି ବୁଧବାର ସକାଳେ ମୃତ୍ୟୁ ହୋଇଯାଇଥିଲା । ନଗର ପାଳ ଶୁଭେନ୍ଦୁ ସାହୁ ଭୁବନ ବ୍ଲକ ଅନ୍ତର୍ଗତ କିଙ୍ଗୋଳ ଗ୍ରାମରେ ଥିବା ତାଙ୍କ ଝିଅ,ଜ୍ୱାଇଁ ଙ୍କୁ ଖବର ଦେବା ସହ ଆମ୍ବୁଲାନ୍ସ ମଗାଇଥିଲେ । ଝିଅ ଜ୍ୱାଇଁ ଓ ନାତି ପହଞ୍ଚିବା ପରେ ମାର ଶରୀରକୁ ଭରତି ପାହାଡ ନିକଟକୁ ନିଆଯାଇ ଜେସିବି ସାହାଯ୍ୟରେ ଗାତ ଖୋଳି ଦଳିତ ସମ୍ପ୍ରଦାୟ ରୀତି ନୀତି ଅନୁଯାୟୀ ଶବ କୁ ପୋତାଯାଇଥିଲା। ଏଥିରେ ନଗରପାଳ ଶୁଭେନ୍ଦୁ ସାହୁଙ୍କୁ ଯୁବ ସମାଜ ସେବୀ ହୋଣ୍ଡା ସୋରୁମ ପ୍ରୋପାଇଟର ସନ୍ତୋଷ କୁମାର ପୃଷ୍ଟି ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଅଜୟ ବେହେରା ସହଯୋଗ କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ କେବଳ ବୁଦ୍ଧିଜୀବୀ ମହଲ ନୁହେଁ ସାରା ଭୁବନବାସୀ ଉଚ୍ଚ ପ୍ରଶଂସା କରୁଛନ୍ତି ।
