ଭୁବନେଶ୍ୱର,୦୮/୧୧/୨୦୨୬ (ଓଡ଼ିଶା ସମାଚାର)-ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା, ସମ୍ବେଦନଶୀଳତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ନିଜ ଦାୟିତ୍ୱ ଓ କର୍ତବ୍ୟ ପ୍ରତି ସର୍ବଦା ସଚ୍ଚୋଟ ଏବଂ ନିଷ୍ଠାବାନ ରହିବାକୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ୱାନ ଜଣାଇଛନ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ।
ନିକଟରେ ଜଣେ ଯୁବ ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ତାଙ୍କୁ ଗଭୀର ଭାବେ ମର୍ମାହତ ଓ ବ୍ୟଥିତ କରିଛି ବୋଲି ବିଭାଗର ସମସ୍ତ ସହକର୍ମୀଙ୍କ ଉଦ୍ଧେଶ୍ୟରେ ଲିଖିତ ଏକ ପତ୍ରରେ ସେ ଉଲ୍ଲେଖ କରିଛନ୍ତି । ଏହି ଘଟଣାକୁ ଏକ ଚେତାବନୀ ଭାବେ ଗ୍ରହଣ କରି ସରକାରୀ ସେବାରେ ନୈତିକତା, ସାଧୁତା ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନହେବା ଦିଗରେ ସମସ୍ତଙ୍କୁ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
