କଟକ, ୧୬/୦୩/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟର ସର୍ବବୃହତ୍ ସ୍ୱାସ୍ଥ୍ୟକେନ୍ଦ୍ର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ (ଏସସିବି)ରେ ସୋମବାର ଭୋର୍ ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି । ଏସସିବି ଟ୍ରମାକେୟାର ଆଇସିୟୁରେ ନିଆଁ ଲାଗିଯିବା ଫଳରେ ୧୦ଜଣ ରୋଗୀଙ୍କ ପ୍ରାଣହାନି ଘଟିଛି ଓ ଅନ୍ୟ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ପୋଲିସ କମିଶନର ଏହି ଅଭାବନୀୟ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ଏହାରି ମଧ୍ୟରେ ମୃତକମାନଙ୍କର ନାମ ଜାରି ହୋଇଛି । ମୃତକମାନେ ହେଲେ, ରମେଶ ଚନ୍ଦ୍ର ପରିଡ଼ା, ଦାଶରୁ ମୁଣ୍ଡା, ଏମଡ଼ି ନୟୁମ, ଗୌରାଙ୍ଗ ଚନ୍ଦ୍ର ବାରିକ, ଶେଖ ଅବଦୁଲ ସତାର, ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ରବିନ୍ଦ୍ର ଦାସ, ଚେରୁ ପରିଡ଼ା ଓ ମେନକା ରାଉତ ।
ବିଦୁ୍ୟତ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି୍ର ପାଖାପାଖି ୨ଟା ୩୦ ମିନିଟ ସମୟରେ ରୋଗୀ ଏବଂ ସେମାନଙ୍କ ସଂପର୍କୀୟମାନେ ଗଭୀର ନିଦ୍ରାରେ ଶୋଇଥିବାବେଳେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ହଠାତ ନିଆଁ ଓ ଧୂଆଁ ବ୍ୟାପିଯିବାରୁ ସ୍ଥିତି ସଂପୂର୍ଣ୍ଣ ଅଣାୟତ ହୋଇପଡ଼ିଥିଲା । ଅଗ୍ନିକାଣ୍ଡର ଖବର ପାଇବା ମାତ୍ରେ ହସପିଟାଲ କର୍ମଚାରୀ ଓ ନିଜସ୍ୱ ଅଗ୍ନିଶମ ବିଭାଗ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରୁ ୩ଟି ଦମକଳଗାଡ଼ି ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ପ୍ରବଳ ଧୂଆଁ ଓ ନିଆଁ ଯୋଗୁଁ ରୋଗୀମାନେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିଲେ । ଗୁରୁତର ଅବସ୍ଥାରେ ଥିବା ଆଇସିୟୁ ରୋଗୀମାନଙ୍କୁ ତୁରନ୍ତ ହସପିଟାଲର ନୁ୍ୟ ମେଡ଼ିସିନ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଭୟାବହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହା ସର୍ଟସର୍କିଟ ଯୋଗୁଁ ଘଟିଛି ନା ଏଥିରେ ପ୍ରଶାସନିକ ଅବହେଳା ରହିଛି, ତାହା ତଦନ୍ତ ପରେ ହିଁ ଜଣାପଡ଼ିବ । ଏହି ହୃଦୟ ବିଦାରକ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ମୃତକଙ୍କ ପରିବାରକୁ ସିଏମଆରଏଏଫ ପାଣ୍ଠିରୁ ୨୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି ଆଇସିୟୁରୁ ସ୍ଥାନାନ୍ତରିତ ହୋଇଥିବା ଅନ୍ୟରୋଗୀମାନଙ୍କୁ ସର୍ବୋତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମେଡ଼ିକାଲ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ଏହା ସହ ଘଟଣାର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ତଦନ୍ତ ରିର୍ପୋଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଗ୍ନିଶମ ଡିଜିଙ୍କୁ ଘଟଣାର ତଦାରଖ କରିବାର ନିର୍ଦ୍ଧେଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାଲିଙ୍ଗ, ପୋଲିସ ମହାନିର୍ଦେଶକ, ପୋଲିସ ଆୟୁକ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ଜିଲାପାଳ, ଡିସିପିଙ୍କ ସମେତ ମେଡ଼ିକାଲ କର୍ତୃପକ୍ଷ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ପରେ ପରେ ବହୁ ବିଧାୟକ ଓ ମେୟର ପ୍ରମୁଖ ମେଡ଼ିକାଲ ଯାଇ ସ୍ଥିତି ପରଖିଥିଲେ । କଟକ ଏସସିବି ମେଡ଼ିକାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଏଫ) ରୁ ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକ ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଏହା ସହିତ ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଲେଖାଁଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଫ୍ୟାକ୍ଟ ଫାଇଣ୍ଡିଂ ଟିମ’ ଗଠନ କରିଛନ୍ତି ।
