ଭୁବନେଶ୍ୱର,୧୬/୦୩/୨୦୨୬ (ଓଡ଼ିଶା ସମାଚାର)- ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି । ରାଜ୍ୟସଭା ମହାଲଢ଼େଇ ଶେଷ ହୋଇଛି । ନିର୍ବାଚନ ଫଳାଫଳ ମୁତାବକ ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ବିଜୟ ଟିକା ପିନ୍ଧିଛନ୍ତି । ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଛନ୍ତି । ସେପଟେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ସମସ୍ତଙ୍କୁ ଚକମା ଦେଇ ବିଜେଡ଼ି-କଂଗ୍ରେସ ମିଳିତ ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତାଙ୍କୁ ହରାଇ ସର୍ବାଧିକ ଭୋଟ୍ ପାଇଁ ବାଜିମାତ କରିନେଇଛନ୍ତି । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଯଦି ସଦସ୍ୟଙ୍କ ମତଦାନକୁ ବିଚାରକୁ ନିଆଯାଏ ତେବେ ୧୧ଟି କ୍ରସ୍ ଭୋଟିଂ ହୋଇଥିବା ସୁନିଶ୍ଚିତ ହୋଇଛି । ମନମୋହନ ସାମଲ ଓ ସୁଜିତଙ୍କ ସପକ୍ଷରେ ୩୫ ଲେଖାଏଁ, ସଂତୃପ୍ତ ମିଶ୍ରଙ୍କୁ ୩୧, ଦିଲ୍ଲୀପ ଏବଂ ଦତେଶ୍ୱରଙ୍କ ସପକ୍ଷରେ ୨୩ ଖଣ୍ଡ ଲେଖାଏ ଭୋଟ୍ ପଡ଼ିଛି । ତେଣୁ ଆଉ ୧୧ଟି ଭୋଟ୍ କ୍ରସ୍ ଭୋଟିଂ ହୋଇଥିବା ଆକଳନ କରାଯାଉଛି । ଯାହା ଦିଲୀପ ରାୟଙ୍କ ସପକ୍ଷରେ ଯାଇଛି ।
ବିଜେଡ଼ିରୁ ୮ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା କୁହାଯାଇଛି ।ସେହିପରି କଂଗ୍ରେସରୁ ତିନି ଜଣ ବିଧାୟକ କ୍ରସ ଭୋଟିଂ କରିଥିବା କୁହାଯାଉଛି । ତଥ୍ୟାଭିଜ୍ଞ ମହଲର କହିବାନୁଯାୟୀ ବିଜେପି ଓ ଦିଲୀପଙ୍କ ରଣ କୌଶଳ ଆଗରେ ବିଜେଡି ଓ କଂଗ୍ରେସର ରଣ ନୀତି ଫିକା ପଡିଯାଇଥିଲା । କଂଗ୍ରେସ ଓ ବିଜେଡି ବିଧାୟକଙ୍କ କ୍ରସ ଭୋଟିଂ ସବୁ ଅଙ୍କ ବିଗାଡି ଦେଇଥିଲା । କଂଗ୍ରେସର ରମେଶ ଜେନା, ଦାଶରଥୀ ଗମାଙ୍ଗ, ସୋଫିଆ ଫିର୍ଦୋଷ ଓ ବିଜେଡିର ଚକ୍ରମଣି କହଁର, ସୌଭିକ ବିଶ୍ୱାଳ, ନବ କିଶୋର ମଲ୍ଲିକ, ସୁବାସିନୀ ଜେନା, ଦେବୀ ରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ, ନିଲମ୍ବିତ ବିଧାୟକ ସନାତନ ମହାକୁଡ, ଅରବିନ୍ଦ ମହାପାତ୍ର କ୍ରସ ଭୋଟିଂ କରିଥିଲେ ।
୧୧ ବିଧାୟକଙ୍କ କ୍ରସ ଭୋଟିଂରେ ଦିଲୀପ ରାଜ୍ୟସଭା ଆସନ ହାତେଇଛନ୍ତି । ବିଜୟ ପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ବିଜେପି ଓ ବିଜେପି ସମର୍ଥôତ ପ୍ରାର୍ଥୀଙ୍କ ପ୍ରଚଣ୍ଡ ବିଜୟ ହୋଇଛି । ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ । ସବୁବେଳେ ଓଡ଼ିଶାର ସ୍ୱରକୁ ଶାଣିତ କରିବୁ । ଲୋକଙ୍କ ସମର୍ଥନ ଯୋଗୁ ରାଜ୍ୟସଭା ନିର୍ବାଚନରେ ଏଭଳି ଅଦ୍ୱିତୀୟ ସଫଳତା ମିଳିଲା । ସେହିଭଳି ମନମୋହନ ସାମଲ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଲୋକଙ୍କ ଆଶୀର୍ବାଦ ଯୋଗୁଁ ଆମେ ବିଜୟୀ ହୋଇଛୁ । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ୨୦୦୨ ମସିହାରେ ଯେଭଳି ଭାବେ ଦିଲୀପ ରାୟ ବିଜେଡି ଓ ଅନ୍ୟ ଦଳର ବିଧାୟକଙ୍କ ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଏଥର ବି ବାଜିମାତ କଲେ ।
