ଯାଜପୁରରେ ମା’ ବିରଜାଙ୍କ ରଥଯାତ୍ରା ଓ ଦୁର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର,୦୬/୧୦/୨୦୨୬(ଓଡ଼ିଶା ସମାଚାର)- ମା’ ବିରଜାଙ୍କ ପବିତ୍ର ରଥଯାତ୍ରା ଏବଂ ଯାଜପୁର ସହରରେ ଆଗାମୀ ଦୁର୍ଗାପୂଜା ପାର୍ବଣକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଆନନ୍ଦମୟ ପରିବେଶରେ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ପୂଜା ଓ ଉତ୍ସବ ସମୟରେ ଆଇନଶୃଙ୍ଖଳା ରକ୍ଷା, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ ସାମାଜିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଡିଜେ ଓ ଉଚ୍ଚଶବ୍ଦ ସାଉଣ୍ଡ ସିଷ୍ଟମ୍‌ ଯୋଗୁଁ ବୃଦ୍ଧବୃଦ୍ଧା, ରୋଗୀ ଓ ସାଧାରଣ ଲୋକଙ୍କ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ନିୟମ ଓ ଶବ୍ଦସୀମା ପାଳନ ପାଇଁ ସେ ଅପିଲ୍ କରିଥିଲେ। ସ୍ୱତଃପ୍ରବୃତ୍ତ ସଂଯମ ଓ ଶୃଙ୍ଖଳା ହିଁ ଉତ୍ସବକୁ ସୁଚାରୁ ଭାବେ ସମ୍ପାଦନ କରିବାର ସର୍ବୋତ୍ତମ ମାର୍ଗ ବୋଲି ସେ ପ୍ରକାଶ କରି ସମସ୍ତ ପୂଜା କମିଟିର ସହଯୋଗ କାମନା କରିଥିଲେ।

ପୂଜା ସମୟରେ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସୁବିଧା ପାଇଁ ସହରର ମୁଖ୍ୟ ରାସ୍ତା ଓ ଗଳିରାସ୍ତାଗୁଡ଼ିକର ଖାଲଖମା ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ରାସ୍ତାକୁ ଓହଳି ରହିଥିବା ଏବଂ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସୁଥିବା ଗଛର ଡାଳଗୁଡ଼ିକୁ ଛେଦନ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୂଜା ଦିନଗୁଡ଼ିକରେ ଅବିଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ସହ ମଣ୍ଡପ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର  ବ୍ୟବସ୍ଥା କରାଯିବ।

ଦୂରଦୂରାନ୍ତର ଶ୍ରଦ୍ଧାଳୁଙ୍କ ପାଇଁ ମା’ ବିରଜାଙ୍କ ନବରାତ୍ରି ସମୟର ପ୍ରତିଦିନର ସ୍ୱତନ୍ତ୍ର ବେଶ ଓ ପୂଜାରାଧନାକୁ ପ୍ରଶାସନିକ ସୋସିଆଲ ମିଡିଆ ମାଧ୍ୟମରେ ପ୍ରସାରଣ କରାଯିବ।ବିରଜାଙ୍କ ରଥଟଣା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ପ୍ରଦତ୍ତ କାର୍ଯ୍ୟସାରଣୀ ମୁତାବକ ସମ୍ପନ୍ନ ହେବ ବୋଲି ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଜଣାଇଥିଲେ।

ଉତ୍ସବ ସମୟରେ ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୋଲିସ ବଳ ମୁତୟନ କରାଯିବ। ଭସାଣୀ ଉତ୍ସବ ସମୟରେ ବିସର୍ଜନ ସ୍ଥଳୀରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯିବା ସହ ଫାୟାର ବ୍ରିଗେଡ୍ ମୁତୟନ କରାଯିବ। ଭସାଣୀ ଉତ୍ସବକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଶେଷ କରିବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଉଚ୍ଚଶବ୍ଦବିଶିଷ୍ଟ ଡିଜେ ବ୍ୟବହାର ଉପରେ କଡ଼ା କଟକଣା ରହିବ।

ଆଗାମୀ ଶାରଦୀୟ ଉତ୍ସବକୁ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ପରିବେଶରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକ, ପୂଜା କମିଟି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ସହଯୋଗ କରିବାକୁ ନିବେଦନ କରାଯାଇଛି।

ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ବୈଠକରେ  ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ, ସହକାରୀ ଜିଲ୍ଲାପାଳ ନିବେଦିତା ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ମନ୍ଦିରର ବରିଷ୍ଠ ସେବାୟତ, ବିଭିନ୍ନ ପୂଜା କମିଟିର ସଭାପତି ଓ ସମ୍ପାଦକ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *