ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅଣୁ ଉଦ୍ୟୋଗୀଙ୍କ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

‘‘ବିକଶିତ ଭାରତ ଗଠନରେ ଉଦ୍ୟୋଗୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ’’ – ମାନ୍ୟବର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧାରୀ

ଭୁବନେଶ୍ୱର,୨୧/୦୩/୨୦୨୫ (ଓଡ଼ିଶା ସମାଚାର)-  ଭାରତର ଗ୍ରାମୀଣ ଅର୍ଥନୀତି ବିକାଶରେ ଅଣୁ ଉଦ୍ୟୋଗୀମାନଙ୍କର ଏକ ବଡ଼ ଯୋଗଦାନ ରହୁଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ଦକ୍ଷତା ବିକାଶ ଲାଗି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘କୌଶଳ ମନ୍ଥନ’ ଆୟୋଜନ କରାଯାଇଥିଲା। ଏଥିରେ ଅଣୁ ଉଦ୍ୟୋଗୀମାନଙ୍କର ଡିଜିଟାଲ ଦକ୍ଷତା ବୃଦ୍ଧି, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ କିପରି ଉପଯୁକ୍ତ ବଜାର ସଂଯୋଗ ମିଳିପାରିବ ସେ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। 

ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟମଶୀଳତା ମନ୍ତ୍ରାଳୟ ଏବଂ ଏନଆଇଇଏସବିୟୁଡି ପକ୍ଷରୁ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଓଡ଼ିଶା ସହିତ ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାର ଆଦି ରାଜ୍ୟରୁ ମୋଟ ୮୧ ଜଣ ଅଣୁ ଉଦ୍ୟୋଗୀ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ କୌଶଳ ବିକାଶ ଓ ଉଦ୍ୟମଶୀଳତା ଏବଂ ଶିକ୍ଷା ମନ୍ତ୍ରାଳୟର ମାନ୍ୟବର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧାରୀ ଯୋଗଦେଇ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

‘‘ଭାରତରେ ଉଦ୍ୟୋଗ ବିକାଶ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି। ବିଶେଷକରି, ଅଣୁ ଉଦ୍ୟୋଗୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ କିପରି ବିଶ୍ୱ ବଜାରରେ ପହଞ୍ଚି ପାରିବ ସେ ଦିଗରେ ଏଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଅଣୁ ଉଦ୍ୟୋଗୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ,’’ କହିଛନ୍ତି ମାନ୍ୟବର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧାରୀ।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ‘ନାନୋ ୟୁନିକର୍ଣ୍ଣ’ ଯୋଜନା ବିଷୟରେ କହିଥିଲେ। ବ୍ୟବସାୟ ସ୍ଥାପନ କରିବାକୁ ଚାହୁଁଥିବା ଓଡ଼ିଶାର ଯୁବପିଢ଼ି ଏହି କାର୍ଯ୍ୟକ୍ରମରୁ ଲାଭ ନେଇପାରିବେ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା। ଏଥିରେ ଭାରତରେ ଉଦ୍ୟୋଗ ବିକାଶ ପାଇଁ ରହିଥିବା ଅନୁକୂଳ ପରିବେଶ ଓ ସରକାରଙ୍କ ବିଭିନ୍ନ ଯୋଜନା ଆଦି ବିଷୟରେ ଆଲୋଚନା ହୋଇଥିଲା। ଅଣୁ ଉଦ୍ୟୋଗୀମାନେ ଏଥିରୁ କିପରି ଲାଭ ନେଇପାରିବେ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ କିପରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପହଞ୍ଚି ପାରିବ ସେ ଦିଗ ପ୍ରତି ଏହି କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ତା’ସହ ଆର୍ଥିକ ପରିଚାଳନା, କାରବାର ପରିଚାଳନା, ବଜାର ସଂଯୋଗ ଓ ବ୍ୟାଙ୍କ ୠଣ ସହାୟତା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, ବ୍ୟାଙ୍କ ଅଧିକାରୀ, ବଜାର ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି ଏବଂ ଅଂଶୀଦାରମାନେ ଏଥିରେ ଯୋଗଦେଇ ଉଦ୍ୟୋଗ ବିକାଶ ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ।

‘‘ଆଜି ବିଭିନ୍ନ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଶେଷକରି, ବ୍ୟବସାୟ ସ୍ଥାପନ ଲାଗି ଯୁବପିଢ଼ିକୁ ପ୍ରୋତ୍ସାହନ ଦିଆଯାଇ ବାର୍ଷିକ ଜିଡିପି ହାର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ, ବ୍ୟବସାୟ ସ୍ଥାପନ ଲାଗି ଯେଉଁସବୁ ପ୍ରତିବନ୍ଧକ ରହିଛି ତାହା ଦୂର କରିବାକୁ ପଡ଼ିବ,’’ କହିଛନ୍ତି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା।

ସେହିପରି କୌଶଳ ବିକାଶ ଓ ଉଦ୍ୟମଶୀଳତା ମନ୍ତ୍ରାଳୟର ସଚିବ ଶ୍ରୀ ଅତୁଲ କୁମାର ତିଓ୍ୱାରୀ କହିଥିଲେ ଯେ, ଦେଶର ଆର୍ଥିକ ଅଭିବୃଦ୍ଧିରେ ଉଦ୍ୟୋଗୀମାନଙ୍କର ଏକ ବଡ଼ ଭୂମିକା ରହିଛି। ସରକାର ଓ ଉଦ୍ୟୋଗୀମାନଙ୍କ ଭିତରେ ଉଚିତ ସମନ୍ୱୟ ରହିଲେ ଦେଶର ସାମଗ୍ରିକ ବିକାଶ ଆହୁରି ତ୍ୱରାନ୍ୱିତ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଏନଆଇଇଏସବିୟୁଡି ଓ ଆଇଆଇଏମ ସମ୍ବଲପୁର ଭିତରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଶେଷରେ ଉଦ୍ୟୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏନଆଇଇଏସବିୟୁଡିର ନିର୍ଦ୍ଦେଶକ ଡକ୍ଟର ପୁନମ ସିହ୍ନା ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ମାନ୍ୟବର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ବିଭିନ୍ନ ଅତ୍ୟାଧୁନିକ ଲାବୋରେଟୋରି ବୁଲି ଦେଖିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଦିଗରେ ଏହି କେନ୍ଦ୍ର ବିଶେଷ ସହାୟକ ହେଉଥିବା ଜାଣି ସେ ଖୁସି ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *