ଭୁବନେଶ୍ୱର,୧୨/୦୩/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକବରମ୍ ସସ୍ୟ ରେଡ୍ଡି, ଉପଜିଲ୍ଲାପାଳ, ଜୟପୁରଙ୍କୁ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଭାବେ ନିୟୁକ୍ତି ଦିଆଯାଇଛି। ଏହାସହ ସେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ସେହିପରି ଅକ୍ଷୟ ପିଲ୍ଲେ, ଉପଜିଲ୍ଲାପାଳ, ବଣେଇଙ୍କୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ ମିଳିଛି । ଭାରତୀୟ ନାଗିରକ ସୁରକ୍ଷା ସଂହିତା ଅନୁଯାୟୀ, ଅକ୍ଷୟ ପିଲ୍ଲେଙ୍କୁ ଜଗତସିଂହପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ ଅରୁଗୁଳା ସ୍ନେହାଙ୍କୁ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ତାଳଚେର ସବ୍-କଲେକ୍ଟର ସମୀର କୁମାର ଜେନାଙ୍କୁ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି । ସେହିପରି ରାଇରଙ୍ଗପୁର ଉପ-ଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିୟୁକ୍ତି ଦିଆଯାଇଛି।
ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍ କମିସନର ମନୀଷ ଅଗ୍ରୱାଲଙ୍କୁ ସମବାୟ ସମିତି ସମୂହର ନିବନ୍ଧକ ଭାବେ ନିଯୁକ୍ତି ମିଳିଥିଲା ବେଳେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ଶାସନ ସଚିବ ସ୍ମୃତିରଞ୍ଜନ ପ୍ରଧାନଙ୍କୁ କ୍ଷୁଦ୍ର ଶିଳ୍ପ ନିଗମରେ ଏମ୍ଡି ଭାବେ ନିଯୁକ୍ତି ମିଳିଛି। ଶ୍ରୀ ପ୍ରଧାନଙ୍କୁ ଷ୍ଟାର୍ଟଅଫ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଏଠାରେ ପୂର୍ବରୁ ରଶ୍ମିତା ପଣ୍ଡା ଅବସ୍ଥାପିତ ଥିଲେ। ସେହିଭଳି ଓଡ଼ିଶା ସମବାୟ ସମିତି ସମୂହର ନିବନ୍ଧକ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସଂପଦ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ରାଜସ୍ବ ଅଧିକାରୀ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶ ମଧୁସ୍ମିତା ସାହୁଙ୍କୁ ଏସ୍ସିଇଆରଟିର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।
ଉତ୍ତରାଞ୍ଚଳ ରାଜସ୍ବ ମଣ୍ଡଳର ବନ୍ଦୋବସ୍ତ ଏବଂ ଚକବନ୍ଦୀ ଅତିରିକ୍ତ କମିସନର ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ଆର୍ଡିସି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଲିଲି କୁମାରୀ କୁଲୁଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ନିଯୁକ୍ତି ମିଳିଛି। ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ବଦଳି ହୋଇଛି। ତାଙ୍କୁ ବୟନ ଓ ହସ୍ତତନ୍ତ ଶିଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ତାଙ୍କ ବଦଳରେ ମାଲକାନଗିରିରେ ବ୍ରହ୍ମପୁର ମହାନଗର ନିଗମର କମିସନର ପ୍ରଥମେଶ ଅରବିନ୍ଦଙ୍କୁ ଜିଲ୍ଲାପାଳ ଦାୟିତ୍ବ ମିଳିଛି।
