ଭାରତୀୟ ସେନାର ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ପାଇଁ ଆବେଦନ ଶେଷ ତାରିଖ ଅପ୍ରେଲ ୧ତାରିଖ

କେନ୍ଦ୍ରାପଡ଼ା, ୧୦/୦୩/୨୦୨୬ (ଓଡ଼ିଶା ସମାଚାର)- ସେନାର ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ଅଧୀନରେ ୨୦୨୭ ନିଯୁକ୍ତି ବର୍ଷ ପାଇଁ ଅନଲାଇନ୍ କମନ୍ ଏନ୍ଟ୍ରାନ୍ସ ପରୀକ୍ଷା (ସିଇଇ) ନିମନ୍ତେ ଆବେଦନ ପ୍ରକ୍ରିୟା ୧୩ ଫେବୃଆରୀ ୨୦୨୬ ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଏପ୍ରିଲ ୧ତାରିଖ ପର୍ଯ୍ୟନ୍ତ ଚାଲିବ । ଯୋଗ୍ୟ ପ୍ରାର୍ଥୀମାନେ www.joinindianarmy.nic. in ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ । ପ୍ରାର୍ଥୀମାନେ ପ୍ରଥମେ କମ୍ପ୍ୟୁଟର ଆଧାରିତ ଅନଲାଇନ୍ କମନ୍ ଏନ୍ଟ୍ରାନ୍ସ ପରୀକ୍ଷା (ସିଇଇ) ଦେବାକୁ ପଡିବ । ଏହି ପରୀକ୍ଷା ପାଇଁ ୨୫୦ ଟଙ୍କା ପରୀକ୍ଷା ଶୁଳ୍କ ନିର୍ଦ୍ଧାରିତ ହୋଇଛି । ଏହି ପରୀକ୍ଷା ଆସନ୍ତା ଜୁନ୍ ମାସରେ ଆୟୋଜିତ ହେବାର ସମ୍ଭାବନା ରହିଛି ଏବଂ ନିଶ୍ଚିତ ତାରିଖ ପରେ ଘୋଷଣା କରାଯିବ ।

ଏହା ସଂପର୍କରେ କୌଣସି ପ୍ରଶ୍ନ ଥିଲେ କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଜିଲାର ପ୍ରାର୍ଥୀମାନେ ଆର୍ମି ରିକ୍ରୁଟିଂ ଅଫିସ, କଟକ ସହ ମୋବାଇଲ୍ ନମ୍ବର ୯୪୩୭୧୬୨୨୮୦ କିମ୍ବା ଟେଲିଫୋନ୍ ନମ୍ବର ୦୬୭୧-୨୩୦୫୮୮୦ ରେ ଯୋଗାଯୋଗ କରିପାରିବେ ବୋଲି ଆର୍ମି ରିକ୍ରୁଟିଂ ଅଫିସ, କଟକ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲାରେ ଅଧିକରୁ ଅଧିକ ଯୁବକ ଓ ଯୁବତୀମାନେ ଏହି ନିଯୁକ୍ତି ପାଇଁ ପଞ୍ଜିକରଣ କରିବେ ବୋଲି ଲକ୍ଷ୍ୟ ରଖି ଆଜି ଜିଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଓସ୍ୱାନ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଅତିରିକ୍ତ ଜିଲାପାଳ (ସାଧାରଣ) ନବକୃଷ୍ଣ ଜେନା, ଜିଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଇନ୍ଦ୍ରାଣୀ ମଲ୍ଲିକ ଉପସ୍ଥିତ ଥିଲେ । ଏହାଛଡ଼ା ଅନଲାଇନ୍ ମାଧ୍ୟମରେ ଡାଇରେକ୍ଟର, ଆର୍ମି ରିକ୍ରୁଟିଂ କଟକଙ୍କ ପକ୍ଷରୁ ରିକ୍ରୁଟିଂ ଅଫିସର ପି.ଏସ. ପ୍ରସନ୍ନାଙ୍କ ସହିତ ଜିଲାର ସମସ୍ତ ଜୁନିୟର ଓ ଡିଗ୍ରୀ କଲେଜ, ଆଇଟିଆଇ ଏବଂ ଡିପ୍ଲୋମା କଲେଜର ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଯୋଗ ଦେଇଥିଲେ । ବୈଠକରେ କଲେଜ ମାନଙ୍କରେ ସଚେତନତା ସୃଷ୍ଟି କରି ଅଧିକରୁ ଅଧିକ ଯୁବକ ଓ ଯବତୀମାନେ ପଞ୍ଜିକରଣ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *