କେନ୍ଦ୍ରାପଡା ପବ୍ଲିକ ସ୍କୁଲ ଛାତ୍ରୀ ବଳାତ୍କାର ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ସମୀକ୍ଷା

କେନ୍ଦ୍ରାପଡ଼ା,୧୦/୦୩/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜକନିକାର ଏକ ପବ୍ଲିକ୍ ସ୍କୁଲ୍ ରେ ଘଟିଥିବା ନାବାଳିକା ଛାତ୍ରୀ ଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଜଜାଙ୍ଗସ୍ଥିତ ଜିଲା ପ୍ରଦକ୍ଷଣ ଭବନରେ ସମୀକ୍ଷା କରିଛନ୍ତି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ପୀଡିତା ପରିବାରକୁ ଭେଟି ଘଟଣା ସମ୍ପର୍କରେ ଟିକିନିଖି ପଚାରି ବୁଝିବା ପରେ ଆୟୋଗ ସ୍କୁଲ ରେ ପହଂଚି ପ୍ରିନ୍ସିପାଲଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।

ସେଠାରୁ ଫେରି ଜିଲା ସର୍କିଟ ହାଉସରେ ଆୟୋଗ ଅଧ୍ୟକ୍ଷା ଜିଲାପାଳ ରଘୁରାମ ଆର. ଆୟର, ଏସପି ସିଦ୍ଧାର୍ଥ କଟ୍ଟାରିଆ, କେନ୍ଦ୍ରାପଡା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ପୀଡିତା ଛାତ୍ରୀଙ୍କୁ ଥଇଥାନ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ରୀଙ୍କୁ ସାମାଜିକ ସୁରକ୍ଷା ଓ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଆୟୋଗ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ ।

ବୈଠକରେ ଆୟୋଗ ସଦସ୍ୟା ସୁଜାତା ନାୟକ, ଲିଗାଲ ଅଫିସର ଓମ୍ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ । ରାଜକନିକା ସ୍ଥିତ ପବ୍ଲିକ୍ ସ୍କୁଲ୍ ର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗତ ଫେବୃଆରୀ ୧୭ ତାରିଖରେ ଶିଶୁ ମଙ୍ଗଳ କମିଟିକୁ ଭେଟି ତାଙ୍କ ସହ ଶିକ୍ଷକ ମାନେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ପରେ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ୩ ଶିକ୍ଷକ ଓ ଜଣେ ପିଅନକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

Leave a Reply

Your email address will not be published. Required fields are marked *