ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୨ ତମ ଜୟନ୍ତୀ

ଭୁବନେଶ୍ୱର,୧୭/୧୨/୨୦୨୩ (ଓଡ଼ିଶା ସମାଚାର)- ଆଜି ମୟୁରଭଞ୍ଜ ମହାରାଜ ତଥା ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୨ ତମ ଜୟନ୍ତୀ ଉପଲକ୍ଷେ ପୂର୍ବାହ୍ନ ୮.୩୦ମିନିଟ୍ ସମୟରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ପାୱାର ହାଉସ୍ ଛକସ୍ଥିତ ଉକ୍ତ ବିଶିଷ୍ଟ ବରପୁତ୍ରଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାପରେ ସ୍ଥାନୀୟ ନୂଆଗାଁ ଠାରେ ମହାରାଜଙ୍କ ସ୍ମୃତିଚାରଣ ଉଦ୍ଧେଶ୍ୟରେ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ତଥା ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇ ତାଙ୍କର ଗୁଣାବଳୀ ଏବଂ ସ୍ୱଳ୍ପ ଜୀବନକାଳ ମଧ୍ୟରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ରେଳଗାଡ଼ି ବ୍ୟବସ୍ଥା, ଜଳ ସେଚନ, ବିଦ୍ୟାଳୟମାନ ସ୍ଥାପନ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଡ଼ାକ୍ତରଖାନା, ରେଭେନ୍ସା ମହାବିଦ୍ୟାଳୟ ପାଇଁ ଅର୍ଥଦାନ ଓ ଛାପାଖାନା ସ୍ଥାପନ ଇତ୍ୟାଦି ତାଙ୍କ ଜନହିତକାରୀ କାର୍ଯ୍ୟ ବିଷୟ ଆଲୋଚନାକୁ ଆସିଥିଲା । ଏତଦ୍ ବ୍ୟତୀତ ଓଡ଼ିଆ ଜାତିର ଉନ୍ନତିକଳ୍ପେ ଗଠନ କରାଯାଇଥିବା ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ପଦ ଅଳଙ୍କୃତ କରି ସେ ତାଙ୍କର ମହାନତା ପ୍ରଦର୍ଶନ କରିଯାଇଛନ୍ତି । ଏହି ବିଶିଷ୍ଟ ବରପୁତ୍ରଙ୍କ ସ୍ୱପ୍ନ ସାକାର କରିବା ଉଦ୍ଧେଶ୍ୟରେ ଆଜିର ଯୁବପୀଢ଼ି ଆଗେଇ ଆସିବାକୁ ସମ୍ମିଳନୀ ସଭାରେ ଆହ୍ୱାନ ଦେଇ ବକ୍ତାମାନେ ବିଭିନ୍ନ ଦୃଷ୍ଟିକୋଣରୁ ବକ୍ତବ୍ୟମାନ ରଖିଥିଲେ ।
ଆଜିର ଉପରୋକ୍ତ ଏହି କାର୍ଯ୍ୟକ୍ରମ ଦ୍ୱୟରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ଼ା. କାଶୀନାଥ ରଥ, ଅଧିବକ୍ତା ବିକାଶ ତ୍ରିପାଠୀ, ଇଂ ନିଖିଳ ପ୍ରସାଦ ଦାଶ, ଯୁଗଳ କିଶୋର ନାୟକ, ଗିରିଜା ଶଙ୍କର ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର, ସୁଶାନ୍ତ କୁମାର ପାଢ଼ୀ, ଜୀବିତେଶ ପ୍ରହରାଜ, କାଳନ୍ଦୀ ନାୟକ, ଗଙ୍ଗାଧର ମହାପାତ୍ର, ସୁରତ ନାୟକ, ସଂଗ୍ରାମ ଭୋଇ, ପ୍ରକାଶ ଚନ୍ଦ୍ର ବେହେରା, ଦୁର୍ଗାଚରଣ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଆଜୀବନ ସଦସ୍ୟ ଶ୍ରୀ ଭରତ କୁମାର ଜେନା ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ ହୋଇଥିଲା ।

Leave a Reply

Your email address will not be published. Required fields are marked *