ଜଗତସିଂହପୁର ଜିଲ୍ଲାରୁ ପାଇଲେ ୨୮୧୦୫୫ ଜଣ ହିତାଧିକାରୀ
ଆନ୍ତର୍ଜାତିକ ମହିଳା ଦିବସରେ ପୁରସ୍କୃତ ହେଲେ ବେଷ୍ଟ ସିଡିପିଓ, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀ ଓ ସମାଜସେବୀ
ଜଗତସିଂହପୁର,୦୮/୦୩/୨୦୨୬ (ଓଡ଼ିଶା ସମାଚାର)-ଆଜି ଆନ୍ତର୍ଜାତୀୟ ମହିଳା ଦିବସ ରେ ପୁରୀ ତାଳବଣିଆ ଠାରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ର ରାଜ୍ୟ ସ୍ତରୀୟ ଉତ୍ସବ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୧ କୋଟି ରୁ ଉର୍ଦ୍ଧ୍ବ ସୁଭଦ୍ରା ମାଆଙ୍କ ଆକାଉଣ୍ଟ କୁ ୫ ହଜାର ଟଙ୍କା ଲେଖାଏଁ ୫ ହଜାର କୋଟି ରୁ ଉର୍ଦ୍ଧ୍ବ ଅର୍ଥ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦ୍ଵାରା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତଙ୍କ ସଭାପତିତ୍ବରେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆଦି କବି ସାରଳା ଦାସ ସଂସ୍କୃତି ଭବନ ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶିଳ୍ପ ,ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା , ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଥିଲେ, ସୁଭଦ୍ରା ଯୋଜନାକୁ ମହିଳା ସଶକ୍ତିକରଣର ଏକ ଇଞ୍ଜିନ ଭାବେ ପରିଗଣିତ କରାଯାଉଛି । ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରା ଙ୍କୁ ଆତ୍ମ ନିର୍ଭର କରିବାର ଏକ ଅଭିନବ ପଦକ୍ଷେପ ଯାହା ଆଜି ଅନେକ ମହିଳାଙ୍କ ପାଖରେ ପହଂଚିଛି । ସରକାର ମହିଳା ମାନଙ୍କ ବିକାଶ ପାଇଁ ସର୍ବଦା ଚେଷ୍ଟିତ। ନାରୀ ହେଉଛନ୍ତି ସୃଷ୍ଟିର ଆଧାର ଏବଂ ଜଗତସିଂହପୁର ଜିଲ୍ଲାର ମା ମାନେ ସାହାସୀ ଓ କର୍ମଠ । ନାରୀ ଶକ୍ତି ବିନା ପ୍ରଗତି ଅସମ୍ଭବ। ତେଣୁ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଢ଼ିବାକୁ ହେଲେ ମହିଳା ମାନଙ୍କୁ ସଶକ୍ତ ଓ ଆତ୍ମ ନିର୍ଭରଶୀଳ କରିବାକୁ ପଡ଼ିବ । ଏଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ସଦା ସର୍ବଦା ଚେଷ୍ଟିତ ।
ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ସଭାରେ ଉପସ୍ଥିତ ରହି କହିଥିଲେ ଯେ ମହିଳା ମାନେ ଆଜି ଶିକ୍ଷା, ସ୍ବାସ୍ଥ୍ୟ ଏବଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ସମାଜ ର ଶୀର୍ଷ ସ୍ଥାନରେ ପହଂଚିଛନ୍ତି ଓ ଏହି ସୁଭଦ୍ରା ଯୋଜନା ନିଶ୍ଚିତ ଭାବରେ ପ୍ରତ୍ୟେକ ମହିଳାଙ୍କୁ ଆର୍ଥିକ ଭାବେ ସ୍ବଚ୍ଛଳ ଓ ସ୍ବାବଲମ୍ବୀ କରିଛି ।
ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ସଭାରେ ଉପସ୍ଥିତ ରହି କହିଥିଲେ ଯେ ମହିଳା ସଶକ୍ତିକରଣ ପାଇଁ ଆମର ଚିନ୍ତାଧାରା କୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ସେ ନାରୀ ସମାନତା କୁ ଗୁରୁତ୍ବ ଦେଇ କହିଥିଲେ ଯେ ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ଅସମାନତା ରହିବା ଉଚିତ ନୁହେଁ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଗ୍ରାମାଞ୍ଚଳ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଦୃଢବଧ ଓ ବିକଶିତ ରାଷ୍ଟ୍ର ପାଇଁ ସର୍ବଦା ଚେଷ୍ଟିତ ଏବଂ ରାଜ୍ୟ ସରକାର ନାରୀ ସଶକ୍ତିକରଣ ଉପରେ ସର୍ବଦା ଗୁରୁତ୍ଵ ଦେଇଆସୁଛନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ଏହି ଦିଗରେ ତାଙ୍କ ପ୍ରତିଜ୍ଞା ରକ୍ଷା କରିଛନ୍ତି । ଓଡିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜିଲ୍ଲାରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହିବା ସହ ସମସ୍ତେ ସୁଭଦ୍ରା ଯୋଜନାରେ ପାଇଥିବା ଟଙ୍କାକୁ ସଦୁପଯୋଗ କରି ବିକଶିତ ଓଡିଶା ଓ ବିକଶିତ ଭରତ ଗଠନରେ ଭାଗୀଦାରୀ ହେବା ପାଇଁ ଉତ୍ସାହିତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ସଭାରେ ଉପସ୍ଥିତ ରହି କହିଥିଲେ ଯେ ସୁଭଦ୍ରା ଯୋଜନା ପାଇଁ ଆଜି ମହିଳା ମାନଙ୍କ ଅର୍ଥନୈତିକ ମାନଦଣ୍ଡ ସୁଦୃଢ ହୋଇପାରିଛି । ସେ ମହିଳା ଙ୍କ ଶିକ୍ଷିତ ହେବା ନେଇ ଗୁରୁତ୍ୱାରୋପ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଉପସ୍ଥିତ ରହି କହିଥିଲେ ଯେ ସମାଜ ବିକାଶ କ୍ଷେତ୍ରରେ ମା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ମା ସବୁବେଳେ ସମ୍ମାନନୀୟ ।
ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଥିଲେ ଯେ ମା ମାନେ ଶିକ୍ଷିତ ହୁଅନ୍ତୁ ଓ ଆର୍ଥିକ ଭାବେ ସ୍ଵଚ୍ଛଳ ହେଇ ରାଷ୍ଟ୍ରର ଓ ସମାଜର ବିକାଶ ଦିଗରେ ଭାଗୀଦାର ହୁଅନ୍ତୁ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ବିଷ୍ଣୁପ୍ରିୟା ସେଠୀ, ନିର୍ବାହୀ ଅଧିକାରୀ, ପୌର ପରିଷଦ,ଶ୍ରୀମତି ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତୀଚି ତନୟା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ।
ସୂଚନାଯୋଗ୍ୟ କି, ଆଜି ଜଗତସିଂହପୁର ଜିଲ୍ଲାରୁ ସର୍ବମୋଟ ୨୮୧୦୫୫ ଜଣ ହିତାଧିକାରୀ ଚତୁର୍ଥ କିସ୍ତିର ଟଙ୍କା ନିଜ ବ୍ୟାଙ୍କ ଖାତାରେ ପାଇଛନ୍ତି ।
ସମସ୍ତେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିବା ସହ ଜିଲ୍ଲା ମହିଳା ଏବଂ ଶିଶୁବିକାଶ ବିଭାଗରେ କାର୍ଯ୍ୟରତ ନିଷ୍ଠାପର କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଥିଲା ।
୫୨ ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲାର ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡି କର୍ମୀ ଓ ହେଲପର ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଓ କର୍ମୀ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା ।
ସୁଭଦ୍ରା ଯୋଜନା ର ସମସ୍ତ helpdesk personnel ଓ ଜିଲ୍ଲା ଚୟନ କମିଟି ର ମହିଳା ସମାଜ ସେବୀ ସଭ୍ୟା ସୁଶ୍ରୀ ସୁଷମା ପ୍ରଧାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶ୍ରୀମତି ତପସ୍ଵିନୀ ସାହୁ,ଜିଲ୍ଲା ପ୍ରକଳ୍ପ ସଂଯୋଜିକା, ମମତା ଯୋଜନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ସହର ର ବୁଦ୍ଧିଜୀବୀ, ଆଇନଜୀବୀ, ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
