ଖଲ୍ଲିକୋଟ : ବାହୁଡ଼ା ଯାତ୍ରା ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ

ଖଲ୍ଲିକୋଟ ,୨୪/୦୭/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାର ଦ୍ୱିତୀୟ ସର୍ବବୃହତ ଶ୍ରୀ ଜଗନ୍ନାଥ ମନ୍ଦିର ବିବେଚିତ ହେଉଥିବା ଖଲ୍ଲିକୋଟ ଠାରେ ଆଜି ଆନୁଷ୍ଠାନିକ ରୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତା ବଳଭଦ୍ର, ଭଗ୍ନୀ ସୁଭଦ୍ରା, ସୁଦର୍ଶନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା ଆୟୋଜିତ ହୋଇଯାଇଛି ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳାଖେଳାର ଅନ୍ତିମ ପର୍ଯ୍ୟାୟ, ଯେଉଁଥିରେ ପ୍ରଭୁ ଜନ୍ମବେଦୀ (ଗୁଣ୍ଡିଚା ମନ୍ଦିର)ରୁ ଆଡ଼ପ ମଣ୍ଡପ ଛାଡ଼ି ପୁନର୍ବାର ରତ୍ନବେଦୀ (ଶ୍ରୀମନ୍ଦିର)କୁ ବାହୁଡ଼ି ଆସନ୍ତି । ଆଷାଢ଼ ଶୁକ୍ଳପକ୍ଷ ନବମୀ ତିଥିରେ ଏହି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହି ଯାତ୍ରା  ଦେଖିବାକୁ ଅଗଣିତ ଦର୍ଶକ ଶ୍ରଦ୍ଧାଳୁ ଭକ୍ତ ବହୁ ସଂଖ୍ୟାରେ ପହଞ୍ଚିଥିଲେ ।

​ ପ୍ରାତଃ ସମୟରେ ମଙ୍ଗଳ ଆଳତି,  ମୈଲମ ଓ ତଡ଼ପଲାଗିନୀତି ସମ୍ପନ୍ନ ହୋଇଥିଲା । ଏହା ପରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି, ସୂର୍ଯ୍ୟପୂଜା ଏବଂ ଦ୍ୱାରପାଳ ପୂଜା ଯଥାରୀତି କରାଯାଇଥିଲା ।

​ପ୍ରଭୁଙ୍କୁ ଗୋପାଳବଲ୍ଲଭ ଏବଂ ଆଡ଼ପ ମଣ୍ଡପର ଶେଷ ଭୋଗ (ସକାଳ ଧୂପ) ଲାଗି କରାଯିବା ପରେ ସେନାପଟା ଲାଗି କରାଯାଇଥିଲା । ବାହୁଡ଼ା ପହଣ୍ଡି ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁରକ୍ଷିତ ଭାବେ ରଥକୁ ଆଣିବା ପାଇଁ ଶ୍ରୀଅଙ୍ଗରେ ‘ସେନାପଟା’ (ସୁରକ୍ଷା କବଚ) ଲାଗି କରାଯାଇଥିଲା ।

​ଧାଡ଼ି ପହଣ୍ଡି କ୍ରମରେ ପ୍ରଥମେ ଶ୍ରୀସୁଦର୍ଶନ, ତା’ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ହଲାଇ ଗୁଣ୍ଡିଚା ମନ୍ଦିରରୁ ବାହାରି ରଥାରୂଢ଼ ହୋଇଥିଲେ ।

​ଚତୁର୍ଦ୍ଧାମୂର୍ତ୍ତି ରଥରେ ବିରାଜିତ ହେବା ପରେ ମଦନମୋହନ, ରାମ ଓ କୃଷ୍ଣ ବିଗ୍ରହଙ୍କୁ ସଂପୃକ୍ତ ରଥରେ ବିଜେ କରାଯାଇଥିଲା । ରଥ ଉପରେ ଶ୍ରୀଜୀଉମାନଙ୍କୁ ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା ।

ଖଲ୍ଲିକୋଟ ରାଜାଙ୍କ ପ୍ରତିନିଧି ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ରଥ ଉପରକୁ ଆସି ପୂଜାର୍ଚ୍ଚନା କରିବା ସହ ସୁବର୍ଣ୍ଣ ଖଡ଼ିକାରେ ତିନୋଟିଯାକ ରଥ ଉପରେ ‘ଛେରା ପହଁରା’ ସେବା ସମ୍ପାଦନ କରିଥିଲେ । ​ଛେରା ପହଁରା ପରେ ରଥରୁ ଚାରମାଳ ଖୋଲାଯାଇ, ରଥରେ ଘୋଡ଼ା ଯୋଖିବା ପରେ ସାରଥି ଆରୋହଣ କରିଥିଲେ ।

​ତାହା ପରେ ଭକ୍ତମାନେ ଆନନ୍ଦ ମନରେ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟାଣିବା ଆରମ୍ଭ କରିଥିଲେ ।

​ବାହୁଡ଼ା ବାଟରେ ନନ୍ଦିଘୋଷ ରଥ ମାଉସୀମା (ଅର୍ଦ୍ଧାଶିନୀ) ମନ୍ଦିର ପାଖରେ ଅଟକିଥିଲେ । ସେଠାରେ ମହାପ୍ରଭୁଙ୍କୁ ମାଉସୀମାଙ୍କ ପକ୍ଷରୁ ସୁସ୍ୱାଦୁ ପୋଡ଼ପିଠା ଭୋଗ ଲାଗି କରାଯାଇଥିଲା । ଆନୁଷ୍ଠାନିକ ଭାବେ ‘ଲକ୍ଷ୍ମୀ-ନାରାୟଣ ଭେଟ’ ହୋଇଥିଲା । ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଗନ୍ନାଥଙ୍କ ରଥରୁ ତାହାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ସନ୍ଧ୍ୟା ସୁଦ୍ଧା ତିନି ରଥ ଆସି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପହଞ୍ଚିଥିଲେ । ଖଲ୍ଲିକୋଟ ବାହୁଡ଼ା ଯାତ୍ରାରେ ତିରିଶି ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା । ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ । ସ୍ଥାନୀୟ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *