ଛତୁ ଚାଷ ମାଧ୍ୟମରେ ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତିକରଣ : ଢେଙ୍କାନାଳରେ ସଫଳ ଜୀବିକା ମଡେଲ୍

ଢେଙ୍କାନାଳ,୦୮/୦୭/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତୁ ଚାଷକୁ ଏକ ସ୍ୱଳ୍ପ ବ୍ୟୟବହୁଳ ଓ ଅଧିକ ଲାଭଦାୟକ ଜୀବିକା ଭାବେ ପ୍ରୋତ୍ସାହିତ କରାଯାଇଛି। କମ୍ ଜମି ଆବଶ୍ୟକତା, ସ୍ୱଳ୍ପ ଉତ୍ପାଦନ ଅବଧି ଏବଂ ସ୍ଥାନୀୟ ଧାନ ନଡ଼ାର ବ୍ୟବହାର ଯୋଗୁଁ ଏହି ଚାଷ ଗ୍ରାମାଞ୍ଚଳ ପାଇଁ ଏକ ଉପଯୁକ୍ତ ବିକଳ୍ପ ଭାବେ ପରିଗଣିତ ହୋଇଛି।

ପରଜଙ୍ଗ, କାମାକ୍ଷାନଗର ଓ ଗଁଦିଆ ବ୍ଲକର ଅନୁକୂଳ କୃଷି-ଜଳବାୟୁ ପରିସ୍ଥିତି ଛତୁ ଚାଷ ପାଇଁ ବିପୁଳ ସମ୍ଭାବନା ସୃଷ୍ଟି କରିଛି। ତେବେ ସଚେତନତାର ଅଭାବ, ବୈଷୟିକ ଜ୍ଞାନ, ଉନ୍ନତ ମାନର ସ୍ପନ୍ ଓ ବଜାର ସଂଯୋଗର ଅଭାବ ଏହାର ବିସ୍ତାରରେ ବାଧକ ଥିଲା। ଏହାକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରଶିକ୍ଷଣ, ପ୍ରଦର୍ଶନୀ, ବୈଷୟିକ ସହାୟତା, ଉନ୍ନତମାନର ସାମଗ୍ରୀ ଯୋଗାଣ ଏବଂ ବଜାର ସଂଯୋଗ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି।

ଉଦ୍ୟାନ କୃଷି ବିଭାଗ ଓ ଓଡ଼ିଶା ଜୀବିକା ମିଶନ (OLM)ର ମିଳିତ ପ୍ରୟାସରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳାମାନଙ୍କୁ ଛତୁ ଚାଷ ପ୍ରତି ଆକୃଷ୍ଟ କରାଯାଇଛି। OLM ପକ୍ଷରୁ ସଚେତନତା ସୃଷ୍ଟି, ସମୁଦାୟ ସହାୟକ କର୍ମୀ ଓ କୃଷିମିତ୍ରଙ୍କ ମାଧ୍ୟମରେ ନିରନ୍ତର ସହଯୋଗ ପ୍ରଦାନ କରାଯାଇଥିବାବେଳେ, ଉଦ୍ୟାନ କୃଷି ବିଭାଗ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଯୋଗାଇଛି।

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (CIF), ରିଭଲଭିଂ ଫଣ୍ଡ (RF), ଭଲନେରାବିଲିଟି ରିଡକ୍ସନ୍ ଫଣ୍ଡ (VRF) ସହ ବ୍ୟାଙ୍କ ଋଣ ସଂଯୋଗ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ଫଳରେ ଛତୁ ସ୍ପନ୍, ର୍ୟାକ୍ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କ୍ରୟ କରି ମହିଳାମାନେ ସଫଳ ଉଦ୍ୟୋଗୀ ଭାବେ ଗଢ଼ିଉଠୁଛନ୍ତି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଧାନ ନଡ଼ା ଛତୁ ଚାଷରେ ନିୟୋଜିତ ପରିବାର ସଂଖ୍ୟା ୩୦ରୁ ବୃଦ୍ଧି ପାଇ ୮୮୦ରେ ପହଞ୍ଚିଥିବାବେଳେ, ୪ଟି ପ୍ରଡ୍ୟୁସର ଗ୍ରୁପ୍ ଓ ୧୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ବାର୍ଷିକ ଛତୁ ଉତ୍ପାଦନ ୧୨ କ୍ୱିଣ୍ଟାଲରୁ ବୃଦ୍ଧି ପାଇ ୩୩୦ କ୍ୱିଣ୍ଟାଲରେ ପହଞ୍ଚିଛି।

ବୃହତ୍ ଚାଷୀମାନେ ୧୫୦୦ରୁ ୩୦୦୦ ବେଡ୍ ବିଶିଷ୍ଟ ଚାଷ ପ୍ରଣାଳୀ ଅବଲମ୍ବନ କରି ବାର୍ଷିକ ପ୍ରାୟ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆୟ କରୁଥିବାବେଳେ, କ୍ଷୁଦ୍ର ଚାଷୀମାନେ ୩୦ରୁ ୫୦ ବେଡ୍ ଚାଷ ମାଧ୍ୟମରେ ବାର୍ଷିକ ପ୍ରାୟ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆୟ କରୁଛନ୍ତି।

ଭବିଷ୍ୟତରେ ଛତୁ ଆଚାର, ସୁପ୍ ପାଉଡର, ଶୁଖିଲା ଛତୁ, ପାପଡ଼, ବିସ୍କୁଟ୍, ସ୍ନାକ୍ସ ଓ ରେଡି-ଟୁ-କୁକ୍ ଉତ୍ପାଦ ଭଳି ମୂଲ୍ୟଯୁକ୍ତ ଉତ୍ପାଦ ବିକାଶ କରିବା ସହ କୋଲ୍ଡ ଷ୍ଟୋରେଜ୍ ସୁବିଧା ସୃଷ୍ଟି କରି ଅମଳ ପରବର୍ତ୍ତୀ କ୍ଷତି ହ୍ରାସ ଏବଂ ଛତୁର ସଂରକ୍ଷଣ ସମୟ ବୃଦ୍ଧି କରିବାର ଯୋଜନା ରହିଛି।

ଛତୁ ଚାଷକୁ ଆଧାର କରି ଢେଙ୍କାନାଳ ଜିଲ୍ଲାରେ ଏକ ସ୍ଥାୟୀ ଓ ଲାଭଜନକ ଜୀବିକା ମଡେଲ୍ ଗଢ଼ିଉଠିଛି। ଏହି ପଦକ୍ଷେପ ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତିକରଣ, ପରିବାରର ଆୟ ବୃଦ୍ଧି ଏବଂ ସମାବେଶୀ ଗ୍ରାମୀଣ ବିକାଶରେ ଏକ ସଫଳ ଦୃଷ୍ଟାନ୍ତ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *