କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

ମାହାଙ୍ଗା  ୦୬/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )ସାରା ଦେଶରେ ପାଳନ ହୋଇଛି ହୋଲି ଉତ୍ସବ ।

ଓଡ଼ିଶାର ପୁର ପଲ୍ଲୀରେ ମଧ୍ୟ ଆୟୋଜିତ ହୋଇଛି ଏହି ରଙ୍ଗର ପର୍ବ ହୋଲି ।କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଠାରେ ରହୁଥିବା ଆଦିମ ଜନଜାତି ବସ୍ତିରେ ଏବର୍ଷ ବେଶ ଧୁମ ଧାମରେ ପାଳନ ହୋଇଥିଲା ହୋଲି ଉତ୍ସବ ।

ଏହି ଆଦିବାସୀ  ବସ୍ତିରେ ଦୀର୍ଘ ୭0 ବର୍ଷରୁ ଉର୍ଦ୍ଧ୍ଵ ହେବ ସ୍ଥାୟୀଭାବେ ରହିଆସୁଥିବା ଆଦିମ ଜନଜାତିର ମଣିଷ ମାନେ ଖୁବ ସରଳ ।  ସେମାନେ ଦିନ ମଜୁରୀଆ, ଅତ୍ୟନ୍ତ ଗରୀବ ପରିବାର ।  ଏଥର ସେହି ଆଦିବାସୀ ବସ୍ତିରେ ହୋଲି ଉତ୍ସବ ମନେଇବାକୁ ନିଷ୍ପତି ନିଆଯାଇଥିଲା ।  ଆଦିବାସୀଙ୍କ ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ସାମିଲ କରିଆସୁଥିବା ସାମାଜିକକର୍ମୀ ଅଖିଳେଶ ମହାନ୍ତି ଏବଂ ତା’ଙ୍କ ସହଯୋଗୀ ଯୁବକ ମାନେ ରଙ୍ଗ ଅବିର ସହିତ ପହଂଚିଥିଲେ ସେହି ଆଦିବାସୀ ବସ୍ତିରେ । ବସ୍ତିର ଲୋକମାନଙ୍କ ଖୁସି କହିଲେ ନସରେ । ଆରମ୍ଭ ହୋଇଥିଲା ହୋଲି ଖେଳ ଓ ମିଷ୍ଟନ ବଣ୍ଟନ ।

 ଅଖିଳେଶ ମହାନ୍ତି ଙ୍କ ନେତୃତ୍ୱରେ ସଂସ୍କୃତି ପ୍ରେମୀ ବିଭୁତି ଭୂଷଣ ଦାସ,ଦିଲ୍ଲୀପ କୁମାର ବାରିକ, ଅଚ୍ୟୁତାନନ୍ଦ ପଣ୍ଡା, କ୍ଷୀରୋଦ ଦାଶ, ମହେଶ୍ୱର ସାହୁ, କୈଶୋର ଦାସ ଏବଂ ତୁଷାର ମହାନ୍ତି, ସାମ୍ବାଦିକ ସତ୍ୟବ୍ରତ ବାରିକ ଓ ଦାମୋଦର ପରିଡା ପ୍ରମୁଖ ଏହି ବସ୍ତିର ପହଂଚି ଥିଲେ ।ବସ୍ତିର ପୁରୁଷ,ମହିଳା,କିଶୋର, କିଶୋରୀ ଏବଂ ଛୋଟ ଛୋଟ ପିଲାମାନଙ୍କ ସହିତ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ କରାଯାଇଥିଲା ।

  ଆଦିମ ଜନଜାତିର ପରିବାର ଗୁଡିକ କିଛି ସମୟ ପାଇଁ ଭୁଲିଯାଇଥିଲେ ସେମାନଙ୍କ ଭିତରେ ଥିବା ଗରିବୀକୁ ଏବଂ ଦୁଃଖକୁ । ସମସ୍ତେ ମିଠା ଖାଇଥିଲେ ଓ ରଙ୍ଗ ପିଚିକାରୀ ସାଙ୍ଗକୁ ଅବିର ବୋଳି ଏହି ରଙ୍ଗର ପର୍ବକୁ ଧୁମ ଧାମରେ ପାଳନ କରିଥିଲେ । ଭଙ୍ଗା କୁଡ଼ିଆ ଭିତରେ ଢୋକେ ପିଇ ଦଣ୍ଡେ ଜିଉଥିବା ଏହି ସରଳ ଆଦିବାସୀ ମାନେ ହୋଲିକୁ ନେଇ ବେଶ ଖୁସି l ଛୋଟ ବସ୍ତିରେ ରହୁଥିଲେ ବି ଆମ ହୃଦୟ ବଡ଼ ବୋଲି ସେମାନେ କହିବାକୁ ଭୁଲି ନଥିଲେ ।

Leave a Reply

Your email address will not be published. Required fields are marked *