ପ୍ରତିଦିନ ସମୀକ୍ଷା କରିବେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ
କେନ୍ଦ୍ରାପଡ଼ା, ୦୮/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାରେ ବେଧଡ଼କ ଭାବେ ବାଲି ଚୋରା ଚାଲାଣ ହେଉଥିବାରୁ ଏହାକୁ ରୋକିବା ଉପଜିଲାପାଳ, ତହସିଲଦାର ଏବଂ ଥାନାଧିକାରୀମାନଙ୍କୁ ନେଇ ଏକ ଜିଲାସ୍ତରୀୟ ଯୁଗ୍ମ ସ୍କ୍ୱାଡ ଗଠନ କରାଯାଇଛି ବୋଲି ଶୁକ୍ରବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଜିଲାପାଳ । ସେହିପରି ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଧେଶରେ ୭ଟି ସ୍କ୍ୱାଡ ଗଠନ କରାଯାଇଛି ।
ଏହି ସ୍କ୍ୱାଡଗୁଡିକ ଜିଲାରେ ଥିବା ବେଆଇନ୍ ବାଲି ଚୋରା ଚାଲାଣ ଉପରେ ନଜର ରଖିବ । ପ୍ରତିଦିନ ସନ୍ଧ୍ୟାରେ ଏହି ସ୍କ୍ୱାଡଗୁଡିକର କାର୍ଯ୍ୟଶୈଳୀ ଉପରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମୀକ୍ଷା କରିବେ । ଉପଜିଲାପାଳ ଦିନସାରା ସ୍କ୍ୱାଡଗୁଡିକ ସହିତ ଯୋଗସୂତ୍ରରେ ରହିବେ । ଯଦି କୌଣସି ସ୍ଥାନରେ ଟିମ୍ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ତେବେ ସେଠାକୁ ଅତିରିକ୍ତ ଫୋର୍ସ ପଠାଯିବ । ଜିଲାରେ ବାଲି ଚୋରା ଚାଲାଣ ସହିତ ବେଆଇନ୍ ଭାବେ ଇଟାଭାଟି ଚାଲିଛି । ତେଣୁ ଏହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ସ୍ୱାକ୍ଷରରେ ଏକ ଅଫିସ ଅର୍ଡର ପ୍ରକାଶ ପାଇଛି । ପୂର୍ବରୁ କ’ଣ ଘଟିଛି ସେ ସଂକ୍ରାନ୍ତରେ ସେ କିଛି କହିପାରିବେ ନାହିଁ । କିନ୍ତୁ ଏବେଠାରୁ ସୁନିଶ୍ଚିତ କରୁଛନ୍ତି ବାଲି ଚୋରା ଚାଲାଣ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖଣି ଅଧିକାରୀ, ପୋଲିସ ଏବଂ ତହସିଲଦାରଙ୍କ ମିଳିତ ଚଢଉରେ କେନ୍ଦ୍ରାପଡ଼ା ସଦର ଅଂଚଳ ଏବଂ ଆଳିରୁ ୫ଟି ହାଇୱା, ୬ଟି ଟ୍ରାକ୍ଟର ଜବତ କରାଯାଇଛି । ପୂର୍ବରୁ ମହାକାଳପଡ଼ା ଏବଂ ଗରଦପୁର ବ୍ଲକରେ ଅବୈଧ ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମୋଟ ୧୭ଟି ଇଟା ଭାଟି (ମହାକାଳପଡ଼ା ତହସିଲର ୧୫ଟି ଏବଂ ଗରଦପୁର ତହସିଲର ୫ଟି ଇଟା ଭାଟି) ବିରୁଦ୍ଧରେ ଜୋରିମାନା ଆଦାୟ କରାଯାଇଛି । କିଛଦିନ ପୂର୍ବରୁ ଗରଦପୁର ତହସିଲର ବିଚଣା ଓ ମାର୍ଶାଘାଇ ତହସିଲର ତୁଣୁପୁର ଅଂଚଳରୁ ୨୪ଟି ହାଇୱା ଓ ୪ଟି ପ୍ରୋକଲିନ୍ ମେସିନ ଜବତ କରାଯାଇଥିଲା । କୌଣସି ବେଆଇନ କାର୍ଯ୍ୟକଳାପକୁ ଆଗାମୀ ଦିନରେ ବରଦାସ୍ତ କରାଯିବ ନାହିଁ । କେନ୍ଦ୍ରାପଡ଼ା ଜିଲାରେ ବେଆଇନ ବାଲି ଉଠାଣ ଓ ଚୋରା ଚାଲାଣ ଏବଂ ଅନଧିକୃତ ଇଟା ଭାଟିର ନିର୍ମାଣ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଜିଲାରେ ମୋଟ ୨୯ଟି ବାଲି ସୈରାତ ଥିବା ବେଳେ ୨ଟି ସୈରାତ ଆଇନଗତ ଭାବରେ କାର୍ଯ୍ୟ କରୁଛି, ୮ଟି ଡିଫଲ୍ଟର ରହିଛି ଓ ବାକି ୨୧ଟିକୁ ଅନୁମତି ଦିଆଯାଇ ନାହିଁ ବୋଲି ଜିଲାପାଳ ଶ୍ରୀ ପ୍ରଧାନ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲାପାଳଙ୍କ ବ୍ୟତିତ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଉପଜିଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି ପୂର୍ବରୁ ଆଇନ୍ଜୀବୀ ବିଧୁଭୂଷଣ ମହାପାତ୍ର ଜିଲାପାଳଙ୍କୁ ବହୁ ଥର ଭେଟି ଅଭିଯୋଗ କରିଥିଲେ ଯେ ବେଆଇନ୍ ଭାବେ ପ୍ରତିଦିନ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ ହେଉଛି । ହେଲେ ଜିଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଉ ନଥିଲା । ଏବେ ପ୍ରଶାସନ ଗୁରୁତ୍ୱ ଦେଇଥିବାରୁ ଆଇନ୍ଜୀବୀ ଶ୍ରୀ ମହାପାତ୍ର ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।
