କଟକ,୨୫/୦୨/୨୦୨୬ (ଓଡ଼ିଶା ସମାଚାର)-ଭାରତୀୟ ମଜଦୂର ସଂଘ କଟକ ଜିଲ୍ଲା ପକ୍ଷରୁ ଶ୍ରମିକ ମାନଙ୍କର ସ୍ୱାର୍ଥ ଦୃଷ୍ଟିରେ ରଖି ୧୧ ଦଫା ଦାବି ନେଇ ଆଜି ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଧାରଣା ଦିଆଯାଇଛି । ଭାରତୀୟ ମଜଦୂର ସଂଘ କେନ୍ଦ୍ରର ଆହ୍ୱାନ କ୍ରମେ ଆଜି ଦେଶ ବ୍ୟାପି ଆନ୍ଦୋଳନ କରାଯାଇଛି । କଟକ ଜିଲ୍ଲା ସଂଘ ପକ୍ଷରୁ ଗ୍ରାମାଞ୍ଚଳ ଏସ. ପି. କାର୍ଯ୍ୟାଳୟ ଠାରେ ଧାରଣା ଦିଆଯାଇଛି । ଏଥି ସହିତ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ପ୍ରଧାନ ମନ୍ତ୍ରୀ ଏବଂ କେନ୍ଦ୍ରର ଶ୍ରମ ମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ମଜଦୂର ସଂଘର ରାଜ୍ୟ କର୍ମକର୍ତ୍ତା ବସନ୍ତ କୁମାର ସାହୁଙ୍କର ନେତୃତ୍ୱରେ ଶ୍ରମିକ ମାନେ ଧାରଣା ଦେଇଛନ୍ତି ।
ସମସ୍ତ କ୍ଷେତ୍ର ଓ ବର୍ଗର ଶ୍ରମିକ ମାନଙ୍କ ପାଇଁ ଶ୍ରମ ଆଇନ କଡା କଡୀ କରାଯାଉ, ଶିଳ୍ପ ସମ୍ପର୍କ କୋଡ଼ ୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ଵାସ୍ତ୍ୟ ଏବଂ କାର୍ଯ୍ୟସ୍ଥିତି କୋଡ଼ ୨୦୨୦ ଥିବା ଶ୍ରମିକ ବିରୋଧୀ ନିଅମକୁ ସଂଶୋଧନ କରିବା ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଶୀଘ୍ର ଭାରତୀୟ ଶ୍ରମ ସମ୍ମିଳନୀ ଡକାଯାଉ, କୁଶଳୀ ଶ୍ରମିକ ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରାଯାଉ, ଏ. ପି. ଏସ ୯୫ ରେ ଥିବା ସର୍ବନିମ୍ନ ପେନସନ ୧୦୦୦ ଟଙ୍କାରୁ ସାତ ହଜାର ପାଞ୍ଚ ଶହ ଟଙ୍କାକୁ ବୃଦ୍ଧି କରାଯାଉ, ବ୍ୟାଙ୍କିଙ୍ଗ ଶିଳ୍ପରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ, ଶ୍ରମିକ ସୁବିଧା ପାଇଁ, ଇ. ଏସ. ଆଇ ଏବଂ ଇ. ପି. ଏଫ ରେ ଥିବା ସୀମା ବୃଦ୍ଧି କରାଯାଉ ଇତ୍ୟାଦି ଦାବି କରାଯାଇଛି ।
ଧାରଣା ପରେ ରାଜ୍ୟ କର୍ମକର୍ତ୍ତା ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଫେବୃଆରୀ ମାସ ଓଡିଶା ପୁରୀ ଠାରେ ଅନୁଷ୍ଠିତ ୨୧ ତମ ଅଖିଳ ଭାରତୀୟ ଅଧିବେଶନରେ ଆଗତ ହୋଇଥିବା ପ୍ରସ୍ତାବ ଅନୁଯାଇ ଆଜି ଦେଶ ବ୍ୟାପି ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଭାରତୀୟ ମଜଦୂର ସଂଘ ର ପୂର୍ବତନ କେନ୍ଦ୍ରୀୟ ଉପସଭାପତି ପ୍ରମୋଦିନୀ ଦାସ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଏସ ଶ୍ରୀନିବାସ ରାଓ, ରାଜ୍ୟ ସଂଗଠନ ସମ୍ପାଦକ ଲକ୍ଷ୍ମଣ କୁମାର ଦାସ, କଟକ ଜିଲ୍ଲା ସଭାପତି ଆଇନଜୀବି ରମାକାନ୍ତ ସାହୁ, ସମ୍ପାଦକ ପ୍ରଭୁଦତ୍ତ ମିଶ୍ର, କୋଷାଧକ୍ଷା ସବିତା ସାହୁ, କର୍ମକର୍ତ୍ତା ଗୌରାଙ୍ଗ ଚରଣ ରଥ, ପୁଷ୍ପଲତା ସୁବୁଦ୍ଧି ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
