ଭୁବନ, ୧୭/୧୨/୨୦୨୩ (ଓଡ଼ିଶା ସମାଚାର)- ରଜାଯୋଗିନି ବ୍ରହ୍ମା କୁମାରୀ ଡ.କମଲେଶ ଦିଦି ଜୀ ଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ଅନୁଷ୍ଠାନ ୫୦ ବର୍ଷରେ ପଦାର୍ପଣ କରିଛି । ବ୍ରହ୍ମା କୁମାରୀ ଭୁବନ ଶାଖା ତରଫରୁ ୫୦ ତମ ବାର୍ଷିକ ଉତ୍ସବ (ସ୍ଵର୍ଣ୍ଣ ଜୟନ୍ତୀ ) ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମା କୁମାରୀ ଉଷା ଭଉଣୀଙ୍କ ଅଧ୍ୟକ୍ଷତାରେ ଯାତ୍ରା ପଡିଆ ପରିସରରେ ଅନୁଷ୍ଠିତ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେବା,ସଂସ୍କାର ଓ ସଂକଳ୍ପ ମୂଳ ମନ୍ତ୍ର କରି କାର୍ଯ୍ୟ କରୁଥିବା ଯୋଗୁ ବ୍ରହ୍ମା କୁମାରୀ ଭଉଣୀ ମାନେ ଆଜି ସାରା ରାଜ୍ୟରେ ନିଜ ଅନୁଷ୍ଠାନର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମା ମାନେ ହେଉଛନ୍ତି ବିକାଶ ର ପ୍ରକୃତ ସାରଥି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଥିପାଇଁ ଓଡ଼ିଶା ର ରୂପାନ୍ତରଣ କାର୍ଯ୍ୟରେ ମା ମାନଙ୍କୁ ସାମିଲ କରି ସାରା ଦେଶରେ ରୋଲ ମଡେଲ ସାଜିଛନ୍ତି । ସମାଜରେ ପରିବର୍ତ୍ତନ ପାଇଁ ବ୍ରହ୍ମା କୁମାରୀ ଭଉଣୀ ମାନଙ୍କ ଉଦ୍ୟମକୁ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଭାବେ ସାଂସଦ ମହେଶ ସାହୁ ଯୋଗଦେଇ କହିଥିଲେ ଯେ ,ଭାରତୀୟ ନାରୀ ଯୁଗେ ଯୁଗେ ବନ୍ଦନୀୟା,ପୂଜନୀୟା ।ସବୁ ଶକ୍ତି ଠାରୁ ମାତୃ ଶକ୍ତି ହେଉଛି ଶ୍ରେଷ୍ଠ ଶକ୍ତି । ବ୍ରହ୍ମା କୁମାରୀ ଭଉଣୀ ମାନଙ୍କ ପାଇଁ ଏ ଫର୍ ଆଟିଚୁଡ ,ବି ଫର୍ ବିଲିଭ,ସି ଫର୍ ସେଣ୍ଟର୍ ଆଉ ଡି ଫର୍ ଡ୍ରିମ୍। ଭଉଣୀ ମାନେ ଏହି ଧାରାରେ ସମାଜରେ ଅଧ୍ୟାତ୍ମିକ କାର୍ଯ୍ୟ କରୁଛନ୍ତି ବୋଲି ସାଂସଦ ମହେଶ ସାହୁ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ଉପ ନଗର ପାଳ ମାନିନୀ ସାହୁ , ବ୍ରହ୍ମା କୁମାର ଶ୍ୟାମ ସୁନ୍ଦର ( ଅହମଦାବାଦ), ବ୍ରହ୍ମ କୁମାର ବିନୋଦ,ବ୍ରହ୍ମା କୁମାର ମଧୁସୂଦନ ( ରାଜସ୍ଥାନ) ପ୍ରମୁଖ ଯୋଗଦେଇଥିଲେ । ବ୍ରହ୍ମା କୁମାର ଆମ୍ବୁଜ ଧନ୍ୟବାଦ୍ ଅର୍ପଣ କରିଥିଲେ । ୧୦ ଟି ରାଜ୍ୟ ସମେତ ସାରା ଓଡ଼ିଶା ର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଭାଇ ଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।