ଜୋରିମାନା ପାଇଁ କୁନି ଝିଅକୁ ଅଟକ ମାମଲାରେ ବଦଳିଲେ ଟ୍ରାଫିକ୍ ଇନ୍ସି୍ପେକ୍ଟର

ଭୁବନେଶ୍ୱର,୧୫/୦୨/୨୦୨୫ (ଓଡ଼ିଶା ସମାଚାର)- କାର୍ ସହ କୁନି ଝିଅକୁ ଅଟକ ରଖିବା ମାମଲାରେ ଇ-ଚାାଲାଣ ନ କାଟିବାରୁ ମାମଲାକୁ କମିସନରେଟ୍ ପୁଲିସ ଗୁରୁତ୍ୱର ସହ ନେଇଛି । ବିଭିନ୍ନ ମହଲରେ ଘଟଣାକୁ ତୀବ୍ର ନିନ୍ଦା କରାଯିବା ପରେ ପୁଲିସ କମିସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପ୍ରଥମ ପଦକ୍ଷେପ ସ୍ୱରୂପ ଟ୍ରାଫିକ୍ ଇନ୍ସିପେକ୍ଟର ପ୍ରଣବ ଟୁଡୁଙ୍କୁ ବଦଳି କରାଯାଇଛି । ତାଙ୍କୁ ପୁଲିସ ହେଡ୍ କ୍ୱାର୍ଟର୍ସକୁ ବଦଳି କରାଯାଇଛି । ସେହିଭଳି ଏହି ମାମଲାରେ ଅନ୍ୟ କାହାରି ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଲେ, ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ଏହି ଘଟଣାରେ ଟ୍ରାଫିକ୍ ଥାନା ଆଇଆଇସି ଆକାଶ ରାଣାଙ୍କ ବିରୁଦ୍ଧରେ ଅଭିଯୋଗ ଉଠିଛି ଏବଂ ତାଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ପୁଲିସ କମିସନର ସୁରେଶ ଦେବଦତ ସିଂହ କହିଛନ୍ତି ଯେ ଏହି ମାମଲାକୁ ନେଇ ଆଭ୍ୟନ୍ତରୀଣ ତଦନ୍ତ ଚାଲିଛି । କେଉଁ ପରିସ୍ଥିତିରେ କୁନି ଝିଅଟି କାର ଭିତରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ରହିଗଲା, ସେନେଇ ଉପସ୍ଥିତ ପୁଲିସ କର୍ମଚାରୀମାନେ ପ୍ରକୃତରେ ଜାଣିଥିଲେ କି ନାହିଁ, ସେନେଇ ଛାନ୍ ଭିନ୍ ଚାଲିଛି । ସେହିଭଳି କାହିଁକି ଇ-ଚାଲାଣ କାଟି ତୁରନ୍ତ ଗାଡ଼ିକୁ ଛାଡ଼ିଦିଆଯାଇ ନଥିଲା, ସେନେଇ ତଦନ୍ତ କରାଯାଉଛି ।

ଆଇଆଇସି ପ୍ରଣବ ଟୁଡୁଙ୍କୁ ହେଡକ୍ୱାର୍ଟର୍ସକୁ ବଦଳି କରାଯାଇଛି ଏବଂ କନେଷ୍ଟବଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଆଗକୁ ଏହି ମାମଲାରେ ଯେଉଁମାନଙ୍କ ତ୍ରୁଟି ଥିବା ଜଣାପଡ଼ିବ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିବ ବୋଲି କମିସନର ଶ୍ରୀ ସିଂହ କହିଛନ୍ତି ।ଘଟଣା ଦିନ ଅର୍ଥାତ୍ ୧୧ ତାରିଖ ଦିନ ଏଜି ଛକରେ ଏକ କାର୍ ୟୁ- ଟର୍ଣ୍ଣ ନେବାରୁ ଟ୍ରାଫିକ୍ ପୁଲିସ ତାକୁ ଅଟକାଇଥିଲା । କାରରେ ସ୍କୁଲ୍ ରୁ ଫେରୁଥିବା ଭୋକିଲା କୁନି ଝିଅଟି ଥିବାରୁ ଚାଳକ ଇ – ଚାଲାଣ କାଟିବାକୁ ଅନୁରୋଧ କରିଥିଲେ । ମାତ୍ର ଟ୍ରାଫିକ୍ ଇନ୍ସପେକ୍ଟର ଶ୍ରୀ ଟୁଡୁ ଇ-ଚାଲାଣ କାଟିବାକୁ ମନା କରି ଜୋରିମାନା ବାବଦକୁ ନଗଦ ଟଙ୍କା ଦେବାକୁ ଦାବି କରିଥିଲେ । ଚାଳକଙ୍କ ପାଖରେ ଟଙ୍କା ନଥିବାରୁ ପୁଲିସ ଗାଡ଼ିକୁ ନେଇ ଟ୍ରାଫିକ୍ ଥାନା-୧ ଜିମାରେ ରଖିଥିଲା ।

କାରରେ କୁନି ଝିଅଟିକୁ ଦେଖିବା ପରେ ବି ଥାନା ଆଇଆଇସି ଶ୍ରୀ ରାଣାଙ୍କ ଦୟା ହୋଇ ନଥିଲା । ପିଲାଟି ଭୋକ ଓ ପୁଲିସ ଭୟରେ କାନ୍ଦୁଥିବା ବେଳେ ଥାନାର କୌଣସି କର୍ମଚାରୀ ତାଙ୍କୁ ଆଶ୍ୱାସନା ଦେଇନଥିଲେ । ବିଚରା ଚାଳକ ଅଭିଭାବକଙ୍କୁ ଫୋନ୍ କରି ଜଣାଇବା ପରେ କୁନି ଝିଅର ମା’ ପହଂଚିଥିଲେ ।ସେତେବେଳକୁ ଅଧଘଂଟା ବିତି ସାରିଥିଲା ଏବଂ କୁନି ପିଲାଟି ଭୟରେ କାକୁସ୍ଥ ହୋଇ ସାରିଥିଲା ।

ଇ-ଚାଲାଣ ବ୍ୟବସ୍ଥା ଥିବା ସତ୍ୱେ ସେଦିନ ପୁଲିସ ସିଧାସଳଖ ନଗଦ ଜରିମାନା ଅର୍ଥ ଆଦାୟ କରିବାକୁ ବାଧ୍ୟ କରିବା ଓ ଏଜି ଛକରେ ୟୁ-ଟର୍ଣ୍ଣ ମନା ବୋଲି ଫଳକ ନ ଥିବା ପରେ ବି ପୁଲିସ ଗାଡ଼ିକୁ ଅଟକାଇବା କେଉଁ ନ୍ୟାୟ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବଡ଼କଥା ହେଉଛି ସ୍କୁଲ୍ ରୁ ଫେରୁଥିବା ଭୋକିଲା କୁନି ଝିଅକୁ କାର୍ ରେ ବନ୍ଦୀ କରି ରଖିବା ଭଳି ଅମାନବୀୟ ଘଟଣାକୁ ନେଇ ଲୋକେ ପୁଲିସକୁ କଟୁ ଭାଷାରେ ସମାଲୋଚନା କରିଥିଲେ । ଏହି ମାମଲାକୁ ନେଇ ଯୁବ ଓ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଟ୍ରାଫିକ୍ ଥାନା ଆଇଆଇସି ଆକାଶ ରଣାଙ୍କୁ ବଦଳି କରିବା ଓ ସମ୍ପୃକ୍ତ ଥିବା ଅନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଯୁବ ଓ ଛାତ୍ର କଂଗ୍ରେସ ସଦସ୍ୟମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଟ୍ରାଫିକ୍ ଏସିପିି ବୁଝାସୁଝା କରିବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Leave a Reply

Your email address will not be published. Required fields are marked *