କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ବୈଠକ

କେନ୍ଦ୍ରାପଡ଼ା, ୨୦/୦୨/୨୦୨୬ (ଓଡ଼ିଶା ସମାଚାର)- ପାରାଦୀପସ୍ଥିତ ଷ୍ଟେଟବ୍ୟାଙ୍କ ଆଂଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଂଚଳିକ କାର୍ଯ୍ୟାଳୟର ମୁଖ୍ୟ ଆଂଚଳିକ ମହାପରିଚାଳକ ପିୟୁଷରଞ୍ଜନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଂଚଳିକ କାର୍ଯ୍ୟାଳୟର ମାନବସମ୍ବଳ ପରିଚାଳକ ସୁଶାନ୍ତ କୁମାର ଦାସ, କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ପରିଚାଳକ ଅର୍କଜ୍ୟୋତି ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଷ୍ଟେଟବ୍ୟାଙ୍କ ପେନସନର୍ସ ସଂଘ ଓଡିଶା ସର୍କଲର ଆଂଚଳିକ ସମ୍ପାଦକ ଗଣେଶ୍ୱର ମେକାପ ପେନସନର୍ସମାନଙ୍କ ବିଭିନ୍ନ ସମସ୍ୟା ବୈଠକରେ ଉପସ୍ଥାପନ କରିଥିଲେ । କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ଡିସପେନସରୀ(ଚିକିତ୍ସା କେନ୍ଦ୍ର) ସହ ଏକ ଡାଇଗ୍ନୋଷ୍ଟିକ ସେଂଟର ଖୋଲାଯିବା ପାଇଁ ଆଂଚଳିକ କାର୍ଯ୍ୟାଳୟ ସୁପାରିଶ କରିବାକୁ ଆଂଚଳିକ ସମ୍ପାଦକ ଶ୍ରୀ ମେକାପ ଦାବି ଉପସ୍ଥାପନ କରିଥିଲେ । କେନ୍ଦ୍ରାପଡାରେ ଏହା ଖୋଲାଗଲେ ପେନସନର୍ସଙ୍କ ସମେତ ଷ୍ଟେଟବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ମେକାପ କହିଥିଲେ ।

ମୁଖ୍ୟ ଆଂଚଳିକ ମହାପରିଚାଳକ ଶ୍ରୀ ସ୍ୱାଇଁ ଓ କେନ୍ଦ୍ରାପଡା ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ଶ୍ରୀ ଭଟ୍ଟାଚାର୍ଯ୍ୟ ତୁରନ୍ତ କେନ୍ଦ୍ରାପଡାରେ ଏକ ଡାଇଗ୍ନୋଷ୍ଟିକ ସେଂଟର ଖୋଲାଯିବା ପାଇଁ ସୁପାରିଶ କରାଯିବ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ । ବୈଠକରେ ପେନସନର୍ସ ସଂଘ ପକ୍ଷରୁ ମାଧବାନନ୍ଦ ମହାପାତ୍ର, ଶରତ କୁମାର ମୁଦୁଲି, ରବିନ ଗୋଛାୟତ, ସେକ ଏସାନ ମହମ୍ମଦ, ଶୁକଦେବ ଦାସ, ଦୁର୍ଯେ୍ୟାଧନ ସେଠୀ, ବିଜୟ ନାୟକ, ନିତ୍ୟାନନ୍ଦ ସେଠୀ, ରାମଚନ୍ଦ୍ର ସେଠୀ, ଅତୁଲ ଚନ୍ଦ୍ର ଗିରି, ସୁନାକର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆଂଚଳିକ ସମ୍ପାଦକ ଶ୍ରୀ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *