ଯାଜପୁର,୨୬/୧୦/୨୦୨୬(ଓଡ଼ିଶା ସମାଚାର)-ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସଫଳ ପରିଚାଳନା ଓ ସୁରକ୍ଷା ପାଇଁ ଆଜି ଯାଜପୁର ଜିଲ୍ଲା କଲେକ୍ଟରେଟ୍ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ଙ୍କୁ ବିଭିନ୍ନ ଟିମ୍ ଗଠନ କରି ସମସ୍ତ ହଷ୍ଟେଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ କୁହାଯାଇଛି। ସେହିପରି ବନ୍ୟା ପୂର୍ବରୁ ଏବଂ ବନ୍ୟା ପରବର୍ତ୍ତୀ ସମୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସ୍ଥିତି ଯାଞ୍ଚ କରିବା ପାଇଁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଙ୍କୁ ଦାୟିତ୍ୱ ଦିଆଯାଇଛି।
ସହର ଓ ଗ୍ରାମାଞ୍ଚଳରେ ଜଳବନ୍ଦୀ ସମସ୍ୟା ଏଡ଼ାଇବା ପାଇଁ ଜଳନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଆବଶ୍ୟକୀୟ ଜଙ୍କସନ୍ଗୁଡ଼ିକରେ ଏକାଧିକ ୱାଟର ପମ୍ପ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ରାଣୀସମ୍ପଦର ସୁରକ୍ଷା ପାଇଁ ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ସମୟପୂର୍ବରୁ ପ୍ରତ୍ୟେକ ବ୍ଲକ୍ ପାଇଁ ଗୋ-ଖାଦ୍ୟ ମହଜୁଦ ରଖିବାକୁ କୁହାଯାଇଛି। ଜିଲ୍ଲା ଓ ବ୍ଲକ ସ୍ତରରେ ୨୪-ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ରୋଷ୍ଟର ଡ୍ୟୁଟି କାର୍ଯ୍ୟକାରୀ କରାଯିବ। ଏହା ସହିତ ଗ୍ରାମ ଓ ପଞ୍ଚାୟତ ୱାରି ସମ୍ବେଦନଶୀଳ ପରିବାରଗୁଡ଼ିକୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚୂଡ଼ାନ୍ତ ହୋଇଛି।
ପ୍ରତ୍ୟେକ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପାଇଁ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ODRAF, NDRF ଏବଂ ଅଗ୍ନିଶମ ବାହିନୀକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ ପାଇଁ ବିଭିନ୍ନ ବ୍ଲକ ଓ ତହସିଲଗୁଡ଼ିକରେ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି। ଆଶ୍ରୟସ୍ଥଳଗୁଡ଼ିକରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସା ଔଷଧର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ଗୁରୁତର ରୋଗୀମାନଙ୍କୁ ତୁରନ୍ତ ନିକଟସ୍ଥ ମୁଖ୍ୟ ଚିକିତ୍ସାଳୟ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ।
ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ସେବା ପ୍ରସ୍ତୁତ ରଖାଯିବା ସହ, ରାସ୍ତା ଅବରୋଧ ହେଲେ ତୁରନ୍ତ ସଫା କରିବା ପାଇଁ NH, R&B, RD ଏବଂ ପଞ୍ଚାୟତ ସମିତି ପକ୍ଷରୁ JCB, ପାୱାର ବୋଟ୍ ଓ ଶ୍ରମିକ ନିୟୋଜିତ ରହିବେ। TPNDOL ପକ୍ଷରୁ ଷ୍ଟାଣ୍ଡବାଏ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନିଶ୍ଚିତ କରାଯାଇଛି। ଜନସାଧାରଣଙ୍କୁ ଆତଙ୍କିତ ନହୋଇ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ, ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
