ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲାପାଳଙ୍କ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ

ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ
କେନ୍ଦ୍ରାପଡ଼ା,୨୬/୧୦/୨୦୨୬(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲାରେ ବାତ୍ୟା ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲାପାଳ ରଘୁରାମ ଆର. ଆୟର ଆଜି ରାଜନଗର ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ଓ ଗୁରୁତ୍ୱପୂର୍ଣ୍ଣ ବାତ୍ୟା ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ପରିଦର୍ଶନ ସମୟରେ ଜିଲାପାଳ ଡାଙ୍ଗମାଳସ୍ଥିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଓଏସଡିଏମଏ) କେନ୍ଦ୍ର, ଡାଙ୍ଗମାଳ ଗ୍ରାମ ପଂଚାୟତ ଅନ୍ତର୍ଗତ ଅଙ୍ଗନବାଡ଼ି କେନ୍ଦ୍ର ନିକଟସ୍ଥ ପ୍ରସ୍ତୁତି ବ୍ୟବସ୍ଥା ଏବଂ ଖମାରସାହି  ଗ୍ରାମ ପଂଚାୟତ ଅନ୍ତର୍ଗତ ନାଗନାରାୟଣ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ । ଏହି ସମୟରେ ବାତ୍ୟାର ମୁକାବିଲା ପାଇଁ ଆଶ୍ରୟସ୍ଥଳଗୁଡ଼ିକର ପ୍ରସ୍ତୁତି, ଆବଶ୍ୟକୀୟ ମୌଳିକ ସୁବିଧା ଓ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା ।

ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ଆଲୋକ ବ୍ୟବସ୍ଥା, ଶୌଚାଳୟ, ପରିମଳ ଓ ସ୍ୱଚ୍ଛତା ଭଳି ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ରଖିବା ସହ ଆଶ୍ରୟସ୍ଥଳର ପରିବେଶ ସୁରକ୍ଷିତ ଓ ବ୍ୟବହାରଯୋଗ୍ୟ ରଖିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ଆବଶ୍ୟକ ସ୍ଥଳେ ପ୍ରଭାବିତ ଅଂଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଓ ଆଶ୍ରୟ ପ୍ରଦାନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଆଗୁଆ ସମ୍ପୂର୍ଣ୍ଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ବିଶେଷକରି ବୃଦ୍ଧା, ଦିବ୍ୟାଙ୍ଗ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଓ ଅନ୍ୟାନ୍ୟ ଅସୁରକ୍ଷିତ ବର୍ଗର ଲୋକଙ୍କୁ ଚିହ୍ନଟ କରି ଆବଶ୍ୟକ ସମୟରେ ସେମାନଙ୍କୁ ନିରାପଦରେ ସ୍ଥାନାନ୍ତର କରିବା ଏବଂ ଆଶ୍ରୟସ୍ଥଳରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ସ୍ଥାନୀୟ ପ୍ରଶାସନ,  ଗ୍ରାମ ପଂଚାୟତ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନ ଘଟେ, ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି । ଜନସାଧାରଣଙ୍କୁ ପାଣିପାଗ ସମ୍ବନ୍ଧୀୟ ସରକାରୀ ସୂଚନା ଓ ପ୍ରଶାସନର ପରାମର୍ଶ ପାଳନ କରିବା ସହ ଆବଶ୍ୟକ ସମୟରେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ଯିବା ପାଇଁ ଅନୁରୋଧ କରାଯାଇଛି । ଜିଲା ପ୍ରଶାସନ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଉପରେ ନିରନ୍ତର ନଜର ରଖିବା ସହ ଜନସାଧାରଣଙ୍କ ସୁରକ୍ଷା, ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ସମସ୍ତ ବିଭାଗକୁ ସଜାଗ ରଖିଛି ।

Leave a Reply

Your email address will not be published. Required fields are marked *