ଶ୍ରୀରାମକୃଷ୍ଣ ସେବାଶ୍ରମରେ କଳ୍ପତରୁ ଉତ୍ସବ

 ବୋଲଗଡ ୦୧/୦୧/୨୦୨ ୪ (ଓଡ଼ିଶା ସମାଚାର)- ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅଧୀନସ୍ଥ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ଆଜି କଳ୍ପତରୁ ଉତ୍ସବ ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଦେହତ୍ୟାଗର ଅବ୍ୟବହିତ ପୂର୍ବରୁ ୧୮୮୬ ମସିହା ଜାନୁୟାରୀ ପହିଲା ଅପରାହ୍ନରେ ଠାକୁର ଶ୍ରୀରାମକୃଷ୍ଣ ପରମହଂସ ନିଜ  ଚାରିପଟେ ଥିବା ସମସ୍ତ ଭକ୍ତ ତଥା ସମବେତ ଜନତାଙ୍କର ସକଳ ଅଭୀଷ୍ଟ ପୂରଣ ପୂର୍ବକ ସମସ୍ତଙ୍କର ଚୈତନ୍ୟ ହେଉ ବୋଲି ଆଶୀର୍ବାଦ ପୂରଣ କରିଥିଲେ। ସେହିବର୍ଷଠାରୁ ଜାନୁୟାରୀ ପହିଲାକୁ କଳ୍ପତରୁ ଦିବସ ଭାବରେ ରାମକୃଷ୍ଣ ବିବେକାନନ୍ଦ ଭାବାନୁଗାମୀମାନେ ପାଳନ କରି ଆସୁଛନ୍ତି।  ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବାମୀ ଭାଗବତାନନ୍ଦ ପୁରୀ ଠାକୁରଙ୍କ ସାଧନାମୟ ଦିବ୍ୟ ଜୀବନ ଓ ବାଣୀ ପ୍ରଭାବରେ ସାମାଜିକ ପରିବର୍ତ୍ତନ ସଂପର୍କରେ ସୂଚନା ଦେଇଥିଲେ। ଡାକ୍ତର ନବକିଶୋର ମହାପାତ୍ର, ପ୍ରଧାନଶିକ୍ଷକ ନଟବର ବେହେରା, ପ୍ରଫୁଲ୍ଲ କୁମାର ସିଂହ, ଭକ୍ତବଲ୍ଲଭ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ବକ୍ତା ଭାବରେ ଯୋଗଦେଇଥିଲେ। ଉତ୍ସବ ପ୍ରାରମ୍ଭରେ ସାମୁହିକ ଭାବେ ଜପଧ୍ୟାନ ସହିତ ଶ୍ରୀରାମକୃଷ୍ଣ  ସାରଦା ଅଷ୍ଟୋତ୍ତର ଶତନାମ ପାଠ କରାଯାଇଥିଲା। ରାମକୃଷ୍ଣ ମିଶନର ୧୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡିଶାରୁ ପ୍ରତିନିଧିତ୍ବ କରିଥିବା ଛାତ୍ର ତଥା ଯୁବ ପ୍ରତିନିଧି ଆଶୁତୋଷ ପଣ୍ଡା ତାଙ୍କର ଅନୁଭୂତି ପରିପ୍ରକାଶ କରିଥିଲେ। ପ୍ରଧାନଶିକ୍ଷକ ମନୋଜ କୁମାର ଗୁମାନସିଂହ  ରାମକୃଷ୍ଣ କଥାମୃତ ପାଠ କରିଥିଲେ। ଗୀତିକାର ପୂର୍ଣ୍ଣଚନ୍ଦ୍ର ବେହେରା ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟାପକ ସର୍ବେଶ୍ଵର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *