ଜୁନାଗଡ଼,୦୩ /୦୨/୨୦୨୬ (ଓଡ଼ିଶା ସମାଚାର /ରାକେଶ ବେମାଲ):ଇତିହାସର ଗର୍ଭରୁ ଜନ୍ମ ନେଇଥିବା କଳାହାଣ୍ଡି ଜିଲ୍ଲାର ପ୍ରାଚୀନ ଓ ଗରିମାମୟ ନଗର ଜୁନାଗଡ଼ ଆଉଥରେ ସଂସ୍କୃତିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି। ଜୁନାଗଡ଼ ମହୋତ୍ସବ କମିଟି ମାଁ ଲଙ୍କେଶ୍ଵରୀ ମଞ୍ଚ ୩,୪ ଓ ୫ ଫେବୃଆରୀ ତିନିଦିନ ଧରି ଏଠାରେ ଆୟୋଜିତ ହେବ ବହୁ ପ୍ରତୀକ୍ଷିତ ‘ଜୁନାଗଡ଼ ମହୋତ୍ସବ’, ଯେଉଁଥିରେ ଆଦିବାସୀ ସଂସ୍କୃତି, ଲୋକକଳା, ଇତିହାସ ଓ ପରମ୍ପରାର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିବ। ଜୁନାଗଡ଼ କେବଳ ଏକ ସହର ନୁହେଁ, ବରଂ କଳାହାଣ୍ଡିର ଐତିହାସିକ ଚେତନାର ଏକ ଜୀବନ୍ତ ପରିଚୟ। ପୁରାତନ ସମୟରେ ଏହା କଳାହାଣ୍ଡି ରାଜ୍ୟର ରାଜଧାନୀ ଭାବେ ପରିଚିତ ଥିଲା। ଏଠାର ରାଜସି ଐତିହ୍ୟ, ପ୍ରାଚୀନ ମନ୍ଦିର, ଦୁର୍ଗ, ଲୋକକଥା ଓ ପରମ୍ପରାଗତ ଉତ୍ସବ ଜୁନାଗଡ଼କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ବିଶେଷ କରି ମାଁ ଲଙ୍କେଶ୍ୱରୀଙ୍କ ପୀଠ ସହ ଜୋଡ଼ିଥିବା ଧାର୍ମିକ ଓ ସାଂସ୍କୃତିକ ଆସ୍ଥା ଏହି ଅଞ୍ଚଳକୁ ଆଦିବାସୀ ଚେତନାର କେନ୍ଦ୍ର କରିଛି।ଏହି ଐତିହାସିକ ପୃଷ୍ଠଭୂମିରେ ଆୟୋଜିତ ‘ଜୁନାଗଡ଼ ମହୋତ୍ସବ’ ମାଧ୍ୟମରେ ବୋଙ୍କା, ଗୋଣ୍ଡ, ଶବର, କନ୍ଦ ସହ ଅନ୍ୟାନ୍ୟ ଆଦିବାସୀ ସମୁଦାୟଙ୍କ ପାରମ୍ପରିକ ନୃତ୍ୟ, ଲୋକଗୀତ, ବାଦ୍ୟ ଓ ଜୀବନଶୈଳୀକୁ ଲୋକମଞ୍ଚରେ ଉପସ୍ଥାପନ କରାଯିବ। ଢୋଲ, ମାଦଳ, ନିଶାନ ଓ ତାଳବାଦ୍ୟର ଗମ୍ଭୀର ନାଦ ସହ ଆଦିବାସୀ ନୃତ୍ୟ ମଞ୍ଚକୁ ଜୀବନ୍ତ କରିବ। ମହୋତ୍ସବର ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ, ପ୍ରଥମ ଦିନ ଆଦିବାସୀ ନୃତ୍ୟ ଓ ସଂସ୍କୃତିକ ପ୍ରଦର୍ଶନୀ, ଦ୍ୱିତୀୟ ଦିନ ଲୋକସଙ୍ଗୀତ ଓ ଆଦିବାସୀ କଳାକାରଙ୍କ ବିଶେଷ ପ୍ରସ୍ତୁତି ସଂଗୀତ ସଂଧ୍ୟା ପଦ୍ମିନୀ ଦୋରା, ତୃତୀୟ ଦିନ ସନ୍ଧ୍ୟାରେ ପ୍ରସିଦ୍ଧ ପଶ୍ଚିମ ଓଡ଼ିଶାର ଲୋକ ପ୍ରିୟ ଗାୟକ ଉମାକାନ୍ତ ବାରିକଙ୍କ ଦ୍ୱାରା ଆକର୍ଷଣୀୟ ସଙ୍ଗୀତାନୁଷ୍ଠାନ ମହୋତ୍ସବର ମୁଖ୍ୟ ଆକର୍ଷଣ ରହିବ।
ଆୟୋଜକ କମିଟି ସଦସ୍ୟ ମାନଙ୍କ କହିବା ଅନୁସାରେ,ଜୁନାଗଡ଼ ମହୋତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଜୁନାଗଡ଼ର ଐତିହାସିକ ଗରିମା ସହ ଆଦିବାସୀ ସଂସ୍କୃତିକୁ ଏକ ସୂତ୍ରରେ ବାନ୍ଧିବା, ଆଧୁନିକତାର ଭିଡ଼ରେ ଯେନା ଆଦିବାସୀ ପରମ୍ପରା ଓ ଲୋକସଂସ୍କୃତି ହାରାଇ ନଯାଏ, ସେଥିପାଇଁ ଏହି ପ୍ରୟାସ ବୋଲି କୁହାଯାଇଛି।ସାଂସ୍କୃତିକ ବିଶେଷଜ୍ଞ ମାନଙ୍କ ମତରେ, ଏପରି ମହୋତ୍ସବ ଜୁନାଗଡ଼ର ସାଂସ୍କୃତିକ ପରିଚୟକୁ ରାଜ୍ୟ ଓ ଦେଶସ୍ତରରେ ଆଉ ମଜବୁତ କରିବା ସହ ସ୍ଥାନୀୟ କଳାକାରଙ୍କୁ ନୂଆ ମଞ୍ଚ ଯୋଗାଇବ। ଏହା ସହ ପର୍ଯ୍ୟଟନ ବିକାଶ ଓ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଏହି ମହୋତ୍ସବ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।
ଏହିପରି ଭାବେ, ଇତିହାସର ସାକ୍ଷୀ ଜୁନାଗଡ଼ର ପବିତ୍ର ମାଟିରେ ଆୟୋଜିତ ‘ଜୁନାଗଡ଼ ମହୋତ୍ସବ’ କେବଳ ଏକ ସଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଆଦିବାସୀ ଅସ୍ମିତା, ପରମ୍ପରା ଓ ଐତିହ୍ୟର ଗର୍ବମୟ ଉତ୍ସବ ଭାବେ ସ୍ଥାନ ପାଇବ ବୋଲି ସମସ୍ତଙ୍କ ଆଶା। ଦ୍ବିତୀୟ ବର୍ଷ ଆୟୋଜିତ ଏହି ଜୁନାଗଡ଼ ମହୋତ୍ସବ କମିଟି ଆନୁକୂଲ୍ୟରେ ସକାଳୁ ସ୍ବାଗତ କରିବା ପାଇଁ ସ୍ଥାନୀୟ ଟାଉନହଲ ଠାରୁ ମାଁ ଲଙ୍କେଶ୍ଵରୀ ମଞ୍ଚକୁ ଆଦରଣୀୟରେ ପହିଞ୍ଚିବେ କଳାହାଣ୍ଡି ମହାରାଜା ଓ ରାଣୀ ,ସେହିପରି ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାପାଳ ଓ ଏସପି ନାଗରାଜ ଦେବାରକୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ଯକ୍ରମ ରହିଛି। ଦ୍ବିତୀୟ ସନ୍ଧ୍ୟା ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ବିଧାୟକ ଜୁନାଗଡ଼ ଗୋବର୍ଦ୍ଧନ ଦାସ, ତୃତୀୟ ସନ୍ଧ୍ୟା ପ୍ରଦୀପ ନାୟକ,ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଭବସିନ୍ଧୁ ମଙ୍ଗରାଜ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟଯୋଷି ପ୍ରମୁଖ ଅତିଥି ଭାବେ ଯୋଗଦେବା ସୂଚନା।
