ରାଣୀହାଟସ୍ଥିତ କନ୍ଦରାସୁର ପୋଡି କମିଟିର ଏକ ପ୍ରସ୍ତୁତି ବୈଠକ

କଟକ, ୦୪/୦୨/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ରାଣୀହାଟସ୍ଥିତ କନ୍ଦରାସୁର ପୋଡି କମିଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ନୋଟାରୀ ନେପାଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖରେ ନୂଆବଜାରସ୍ଥିତ ନେତାଜୀ ପଡିଆରେ କନ୍ଦରାସୁର ପୋଡି ଉତ୍ସବ ସମାପନ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଏଥିପାଇଁ ମହାପ୍ରଭୁ ବଳରାମଙ୍କର ଏକ ଶୋଭାଯାତ୍ରା ରାଣୀହାଟ ବଳଦେବଜୀଉ ମନ୍ଦିରରୁ ଅପରାହ୍ନ ୪ଟାରେ ବାହାରିବ । ଏଥିରେ କୀର୍ତନ ମଣ୍ଡଳୀ, ସମସ୍ତ ପୂଜା କମିଟି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ପାଇଁ ନିବେଦନ କରାଯାଇଛି । ସମସ୍ତ ପୂଜା କମିଟି, ମହିଳା ସମିତି ଓ ଯୁବକ ସଂଘ ପକ୍ଷରୁ ଶଙ୍ଖ, ହୁଳହୁଳି ଓ ପୁଷ୍ପ ପକାଇବା ପାଇଁ ବୈଠକରେ ଉପସ୍ଥିତ କର୍ମକ ମାନେ ନିବେଦନ କରିଛନ୍ତି । ଶୋଭାଯାତ୍ରା ସହର ପରିକ୍ରମା କରି ନେତାଜୀ ପଡିଆରେ ପହଂଚିବା ପରେ ସନ୍ଧ୍ୟାରେ ‘କନ୍ଦରାସୁର ବଧ’ ନାଟକ ପରିବେଷଣ କରାଯିବ । ଏହି ଅବସରରେ ଏକ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ଶେଷରେ କନ୍ଦରାସୁର ପୋଡି ଉତ୍ସବ ଅନୁଷ୍ଠିତ ହେବା ସହିତ ଅଗ୍ନିଉତ୍ସବ ଅନୁଷ୍ଠିତ ହେବ ବୋଲି ଆଇନଜୀବୀ ମହେନ୍ଦ୍ର କୁମାର ମହାପାତ୍ର, ଜଗନ୍ନାଥ ମହାନ୍ତି, ମନୋଜ କୁମାର ଦାଶ, ଦୁର୍ୟ୍ୟୋଧନ ସାହୁ, ଦେବାଶିଷ ରଥ, ସଂଜୀବ ବିଶ୍ବାଳ, ଗୁରୁପ୍ରସାଦ ପଣ୍ଡା,ଶଶଧର ପୃଷ୍ଟି ଓ ବିକ୍ରମ କୁମାର ବାରିକ ପ୍ରମୁଖ ସୂଚନା ଦେଇଛନ୍ତି । ଉକ୍ତ ବୈଠକ ରାଣୀହାଟ ବଳଦେବଜୀଉ ଟ୍ରଷ୍ଟର ମୁଖ୍ୟ ବିଜୟ କୁମାର ସାହୁ, ମନୋଜ ସାହୁ,ବସନ୍ତ ସାହୁ ଓ ଭାଗିରଥ୍ ସାହୁ ପ୍ରମୁଖଙ୍କ ସହଯୋଗରେ ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *