ପାଟକୁରା, ୨୬/୦୧/୨୦୨୬ (ଓଡିଶା ସମାଚାର )- ଆଜି ଭାରତ ବର୍ଷରେ ଦେଶ ତମାମ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଉଛି । ଗରଦପୁର ବ୍ଳକ ଅଧୀନ ବିଚଣା -ନୂଆପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ମଧ୍ୟ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି । ମୁଖ୍ୟ ଅତିଥି ଭାବେ ଶାନ୍ତି ମୈତ୍ରୀ ସ୍ଵେଛାସେବୀ ସଂଗଠନର ସମ୍ପାଦକ ତଥା ସମାଜସେବୀ ଶ୍ରୀଯୁକ୍ତ ଭଗବାନ ଜେନା ଜାତୀୟ ପତାକା ଉତ୍ତୋଳନ କରି ଦେଶ ବାସୀଙ୍କୁ ମହାନ ସ୍ୱାଧୀନତା ସଂଗ୍ରାମ ପାଇଁ ଅଭିନନ୍ଦନ ଜଣାଇବା ସହ ସାଧାରଣ ତନ୍ତ୍ରବାବଦରେ ଅଧ୍ୟୟନ ରତ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀ ମାନଙ୍କୁ, ସମସ୍ତ ଗୁରୁଜୀ, ଗୁରୁମା, କର୍ମଚାରୀ ଓ ଅଭିଭାବକ ମାନଙ୍କୁ ବୁଝାଇବା ସହ ଅଭିନନ୍ଦନ ଜଣାଇଥିଲେ ।

ବିଦ୍ୟାର୍ଥୀ ମାନେ ବିଭିନ୍ନ ଦେଶାତ୍ମକ ବୋଧକ ସ୍ଲୋଗାନ ଦେଇ ବାଜା ବଜାଇ ବିଚଣା ଗ୍ରାମରେ ପ୍ରଭାତ ଫେରି କରିବାପରେ ବିଦ୍ୟାଳୟ ପରିସରରେ ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ବେହେରାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜ ସେଵୀ ଭଗବାନ ଜେନା ମଂଚାସୀନ ଥିବା ବେଳେ ସମ୍ମାନିତ ଅତିଥି ଭାବେ ନାରୀନେତ୍ରୀ ମଞ୍ଜୁଲତା ଜେନା, ପ୍ରସାଦ କୁମାର ମହାନ୍ତି, ଅଶୋକ କୁମାର ଜେନା, ଚନ୍ଦନ କୁମାର ଜେନା ଓ ପ୍ରଦୀପ କୁମାର ବେହେରା ମଂଚାସୀନ ରହି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବା ସହ ସାଧାରଣତନ୍ତ୍ର ବାବଦରେ ସମ୍ୟକ ସୂଚନା ମଧ୍ୟ ଦେଇଥିଲେ ।

ଅନ୍ୟତମ ସମ୍ମାନିତ ଅତିଥିଭାବେ ଗୁରୁଜୀ ଅକ୍ଷୟକୁମାର ଆଚାର୍ଯ୍ୟ, ଗୁରୁଜୀ ଶୁଭାକାନ୍ତ ଦାଶ, ଗୁରୁମା ଅରତୀ ମହାନ୍ତି, ଗୁରୁମା ଅହଲ୍ୟା ଦାଶ, ଗୁରୁମା ଗାୟତ୍ରୀ ବେହେରା, ଗୁରୁମା ଅର୍ପିତା ସାହୁ, ଗୁରୁମା ବୈଶାଖୀ ବେହେରା ଓ ରଶ୍ମିତା ବେହେରା ପ୍ରମୁଖ ମଂଚାସୀନ ରହି ବିଦ୍ୟାର୍ଥୀ ମାନଙ୍କୁ ସାଧାରଣ ତନ୍ତ୍ର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ । ବିଭିନ୍ନ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ମୁଖ୍ୟ ଅତିଥି ସମାଜ ସେଵୀ ଭଗବାନ ଜେନା ପୁରସ୍କୃତ କରିଥିଲେ ।
