ଚୋରି ଅଭିଯୋଗରେ ନାବାଳକଙ୍କୁ ନିସ୍ତୁକ ମାଡ ପ୍ରତିବାଦରେ ବସ୍ତିବାସିନ୍ଦାଙ୍କ ରାସ୍ତାରୋକ

କେନ୍ଦ୍ରାପଡ଼ା, ୨୮/୦୯/୨୦୨୬ (ଓଡ଼ିଶା ସମାଚାର)- ଚୋରି ଅଭିଯୋଗରେ କଜଳାବସ୍ତିର ଜଣେ ନାବାଳକଙ୍କୁ କେନ୍ଦ୍ରାପଡା ସଦର ଥାନା ପୋଲିସ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହାସହ ଅନ୍ୟ ଜଣେ ନାବାଳକଙ୍କ ସମେତ ୫ଜଣଙ୍କୁ ସଦର ଥାନା ପୋଲିସ ଶୁକ୍ରବାର ଅପରାହ୍ନରେ ଉଠାଇ ନେଇ ଥାନାରେ ଅଟକ ରଖିଛି । ଏହାର ପ୍ରତିବାଦରେ କଜଳାବସ୍ତିର ଲୋକମାନେ ଟାୟାରଜାଳି ରାସ୍ତାରୋକ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ଚୋରି ପ୍ରମାଣ ହୋଇନାହିଁ । କିନ୍ତୁ ପୋଲିସ ଜଣେ ନାବାଳକଙ୍କୁ ନିସ୍ତୁକ ପିଟି ଗୁରୁତର ଆହତ କରିଛି ଓ ଅନ୍ୟ ୪ଜଣଙ୍କୁ ଅଟକ ରଖିଛି ।

ଏଭଳି ପଦକ୍ଷେପ ଦ୍ୱାରା ପୋଲିସ ବେଆଇନ କାର୍ଯ୍ୟ କରିଛି । କାରଣ ପୋଲିସର କାର୍ଯ୍ୟ ହେଉଛି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା । କୋର୍ଟ ଅଭିଯୁକ୍ତର ବିଚାର କରି ଦଣ୍ଡଦେବେ । ଥାନା କୋର୍ଟ ନୁହେଁ । ହେଲେ ଥାନା କର୍ମଚାରୀମାନେ ଅଭିଯୁକ୍ତକୁ ଦଣ୍ଡଦେଇ ନିଜକୁ କୋର୍ଟ ଭାବେ ଅଭିହିତ କରିବାକୁ ଚାହୁଁଛନ୍ତି ଯାହା ସମ୍ବିଧାନ ବିରୋଧୀ କାର୍ଯ୍ୟ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ଏସଂକ୍ରାନ୍ତରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନକୁ ପଚାରିବାରେ ସେ କହିଲେ ଆମ୍ଭେ କୌଣସି ନାବାଳକକୁ ବାଡେଇ ନାହୁଁ । କଜଳାବସ୍ତିରେ ଶତାଧିକ ଚୋର ବାସ କରୁଛନ୍ତି । ସେମାନଙ୍କର ଟିମ ଲିଡର ହେଉଛି ସବିତା ନାମ୍ନୀ ମହିଳା । ତାକୁ ଧରିବା ପାଇଁ ଆମେ ଉକ୍ତ ବସ୍ତିର କେତେକ ଚୋରଙ୍କୁ ଥାନାକୁ ଆଣିଥିଲୁ । ଏମାନଙ୍କୁ ଥାନାକୁ ନଆଣିଲେ ଚୋରି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବ । ଏମାନେ ଦିନବେଳା ଘୁଷୁରୀ ଚରାଉଛନ୍ତି । ଯେଉଁ ଘରେ ତାଲା ପଡିଛି ତାହାକୁ ଟାର୍ଗେଟ କରି ରାତିରେ ସେହି ଘରେ ଚୋରି କରୁଛନ୍ତି । ସଦର ଥାନା ଅଂଚଳରେ ଏମାନଙ୍କ ପ୍ରାଦୁର୍ଭାବ ଅଧିକ । ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିବାରୁ ଆମେ ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲୁ । ଆମେ କୌଣସି ଆଇନ ଉଲଂଘନ କାର୍ଯ୍ୟ କରିନାହୁଁ ।

Leave a Reply

Your email address will not be published. Required fields are marked *