ଜିଲା ମୁଖ୍ୟଚିକିତ୍ସାଳୟରେ ରୋଗୀସେବା ବିପର୍ଯ୍ୟସ୍ତ
କେନ୍ଦ୍ରାପଡ଼ା, ୨୮/୦୯/୨୦୨୬ (ଓଡ଼ିଶା ସମାଚାର)- ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ପ୍ରତ୍ୟେକ ଦିନ ସକାଳ ୮ଟାରେ ବିଶେଷଜ୍ଞ ଡାକ୍ତରମାନେ ଡାକ୍ତରଖାନା ଆସିବାକୁ ନିୟମ ଥିବା ବେଳେ ସେମାନେ ବିଳମ୍ବରେ ଆସୁଛନ୍ତି । କେତେକ ଡାକ୍ତର ୯ଟାରେ ଆସି ବୈଦୁ୍ୟତିକ ଉପସ୍ଥାନ ପକାଇ କ୍ଲିନିକ କୁ ପଳାଉଛନ୍ତି । ସେଠାରେ ଅର୍ଥ ବଦଳରେ ସେବା ଦେଇ ପୁନର୍ବାର ଡାକ୍ତରଖାନାକୁ ଫେରୁଛନ୍ତି । ଡାକ୍ତରଖାନାରେ ଅଧଘଂଟାରୁ ଏକ ଘଂଟା ଯାଏଁ ଡୁ୍ୟଟି କରି ପୁନର୍ବାର ନିଜ କ୍ଲିନକକୁ ପଳାଉଛନ୍ତି । ଏପରିକି କେତେକ ଡାକ୍ତର ସପ୍ତାହରେ ୪ଦିନ ଡୁ୍ୟଟି କରି ବାକି ଦିନ ଗୁଡିକ ଘରୋଇ କ୍ଲିନିକରେ ରୋଗୀ ଦେଖୁଛନ୍ତି । ଏହାଦ୍ୱାରା ଡାକ୍ତରଖାନାକୁ ବହୁ ଆଶାନେଇ ଆସୁଥିବା ଗରିବ ରୋଗୀମାନେ ଚିକିତ୍ସା ସେବା ନପାଇ ନିରାଶ ହୋଇ ଫେରୁଛନ୍ତି । ଆଉ କେତେକ ରୋଗୀ ବାଧ୍ୟ ହୋଇ ସଂପୃକ୍ତ ଡାକ୍ତରଙ୍କ ଦ୍ୱାରା ନିଯୁକ୍ତ ଦଲାଲଙ୍କ ଜରିଆରେ ଘରୋଇ କ୍ଲିନକୁ ଯାଇ ଶୋଷଣର ଶୀକାର ହେଉଛନ୍ତି ।
କାରଣ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ବିନା ମୂଲ୍ୟରେ ରୋଗୀ ଦେଖିବା ନିୟମ ରହିଥିବା ବେଳେ କ୍ଲିନିକରେ ରୋଗୀ ପିଛା ୩ଶହରୁ ୪ଶହ ଟଙ୍କା ନେଉଛନ୍ତି । କେତେକ ଡାକ୍ତର ପଡୋଶୀ ଯାଜପୁର, ଜଗତସିଂହପୁର, କଟକ, ଭଦ୍ରକ ପ୍ରଭୃତି ସ୍ଥାନକୁ ଯାଇ ରୋଗୀ ଦେଖୁଛନ୍ତି ।ଗୋଟିଏ ପଟେ ଜିଲା ମୁଖ୍ୟଚିକିତ୍ସାଳୟରେ ଡାକ୍ତର ସଙ୍କଟ ଲାଗି ରହିଥିବା ବେଳେ ଅନ୍ୟ ପଟେ ଡାକ୍ତରମାନେ ଅର୍ଥ ଲାଳସାରେ ଘରୋଇ କ୍ଲିନିକରେ ଡୁ୍ୟଟି କରିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାକୁ ବିପର୍ଯ୍ୟସ୍ତ କରିପକାଇଛି । ଶିକ୍ଷାବିତ ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡା କହିଛନ୍ତି ଭାରତ ଭଳି ଏକ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ରୋଗୀସେବାକୁ ସରକାର ନିଶୁଳ୍କ କରିଛନ୍ତି ।
କିନ୍ତୁ କେତେକ ଅର୍ଥ ଲୋଭି ଡାକ୍ତରଙ୍କ ପାଇଁ ସରକାରଙ୍କ ଜନମଙ୍ଗଳ ଲକ୍ଷ୍ୟ ଧୂଳିସାତ ହୋଇଯାଉଛି । ସରକାର ଏନେଇ ସଂପୃକ୍ତ ଡାକ୍ତରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । କାରଣ ଡାକ୍ତରମାନଙ୍କ କର୍ତବ୍ୟ ହେଉଛି ରୋଗୀସେବା କରିବା । ଏଥିପାଇଁ ସେମାନେ ଡାକ୍ତରୀ ପାଠ ପଢିବା ବେଳେ ଶପଥ ନେଇଥାନ୍ତି । କିନ୍ତୁ ଏବେ ଦେଖାଯାଉଛି ଡାକ୍ତରମାନେ ରୋଗୀସେବା କରିବା ପାଇଁ ଯେଉଁ ମନୋଭାବ ରଖିବା କଥା ତାହା ନରଖି ଅର୍ଥ ପଛରେ ଧାଉଁଛନ୍ତି । ଫଳରେ ରୋଗୀମାନେ ସେବାରୁ ବଂଚିତ ହେଉଛନ୍ତି । ଡାକ୍ତରମାନେ ସେମାନଙ୍କ ମାନସିକତା ପରିବର୍ତନ କରିବା ଉଚିତ । ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି ବହୁ ଆଶା ଓ ବିଶ୍ୱାସ ନେଇ ବହୁ ରୋଗୀମାନେ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ଆସୁଛନ୍ତି । କିନ୍ତୁ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରୁନାହାନ୍ତି । ପ୍ରତିଦିନ ଜଣେ ଡାକ୍ତର ୮ଘଂଟା ଡୁ୍ୟଟି କରିବାର ନିୟମ ଥିବାବେଳେ ସେ ତାଙ୍କ ଡୁ୍ୟଟିରେ ଖିଲାପ କରି କଟକ, ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନକୁ ଟଙ୍କା ରୋଜଗାର କରିବାକୁ ଧାଉଁଛନ୍ତି । ଯଦି ଡାକ୍ତରମାନଙ୍କ ଟଙ୍କା ରୋଜଗାର କରିବା ପାଇଁ ଏତେ ଅଭିଳାଷ ରହିଛି ତେବେ ସେମାନେ ଏଭଳି ମହାନ ବୃତି ଛାଡି ଟଙ୍କା ରୋଜଗାର ବୃତିିରେ ମନୋନିବେଶ କରନ୍ତୁ ।
ଏସମ୍ପର୍କରେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ(ମେଡିକାଲ) ତଥା ଡାକ୍ତରଖାନା ଅଧୀକ୍ଷକ ଡା. କିଶୋର ଚନ୍ଦ୍ର ମିଶ୍ର କୁହନ୍ତି ଡାକ୍ତରଖାନାର ଆଉଟ୍ଡୋରରେ ଠିକ ସମୟରେ ଡୁ୍ୟଟିରେ ଯୋଗଦେବାକୁ ସଂପୃକ୍ତ ଡକ୍ତରମାନଙ୍କୁ ବାରମ୍ବାର ତାଗିଦ କରାଯାଉଥିଲେ ମଧ୍ୟ ସେମାନେ ବିଳମ୍ବରେ ଆଉଟଡୋରକୁ ଆସୁଛନ୍ତି । ଏସମ୍ପର୍କରେ ସେ ଅଭିଯୋଗ ପାଇଥିବା ବେଳେ ସଂପୃକ୍ତ ଡାକ୍ତରମାନଙ୍କୁ ଡୁ୍ୟଟିରେ ଅବହେଳା ପାଇଁ ନୋଟିସ କରାଯିବ ବୋଲି ଡା. ମିଶ୍ର କହିଛନ୍ତି ।
