ଡ଼କାୟତି ପାଇଁ ଯୋଜନା କରୁଥିବାବେଳେ ଧରାପଡ଼ିଲେ ୭ ଭେଟେରାନ୍ ଅପରାଧୀ , ବନ୍ଧୁକ, ଗୁଳି ଆଦି ଜବତ

କଟକ, ୧୮/୦୧/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)-ଗତ କାଲି ୧୭ ତାରିଖ ବୁଧବାର ରାତି ପ୍ରାୟ ସାଢ଼େ ୭ ଟା ସମୟରେ ସାତରୁ ଆଠ ଜଣ ଭେଟେରାନ୍ ଅପରାଧୀମାନେ କାଜିପାଟଣାର ଇନ୍ଦିରା କଲୋନୀ ପଡ଼ିଆରେ ଏକତ୍ରିତ ହୋଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଥିଲା । ସେମାନଙ୍କ ନିକଟରେ ବନ୍ଧୁକ, ଗୁଳି, ମାରଣାସ୍ତ୍ର ରହିଥିବା ଓ ସେମାନେ ୧୬ ନମ୍ବର ଜାତୀୟ ରାଜପଥର ଏକ ପେଟ୍ରୋଲ ଟାଙ୍କି ରେ ଡ଼କାୟତି ଯୋଜନା କରୁଥିବା ସୂଚନା ମିଳିଥିଲା । ଏ ସମ୍ପର୍କରେ ସୂଚନା ମିଳିବା ପରେ କଟକ ସଦର ଥାନାର ଏସଆଇ ବିକ୍ରମ ବେହେରା ଏକ ପୋଲିସ ଟିମ ନେଇ ତୁରନ୍ତ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରେ ଥିବା ୭ ଜଣ ଅପରାଧୀ ଧରାପଡ଼ିଥିଲେ । ସେମାନଙ୍କ ନିକଟରୁ ୨ ଟି ୭.୬୫ ଏମଏମ ର ଦେଶି ବନ୍ଧୁକ, ୭.୬୫ ଏମଏମ ର ୭ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଖେଳନା ବନ୍ଧୁକ , ୨ ଟି ଖଣ୍ଡା, ୯ ଟି ମୋବାଇଲ ଫୋନ୍ , ୨ଟି ମହେନ୍ଦ୍ରା ଗାଡ଼ି ଓ ଗୋଟିଏ ହୁଣ୍ଡାଇ ଗାଡ଼ି ଜବତ କରାଯାଇଛି । ଧରାପଡ଼ିଥିବା ଅପରାଧୀମାନେ ହେଉଛନ୍ତି କଟକ ଭାଣପୁର ଅଂଚଳର ମହମ୍ମଦ ସକିଲ, କଟକ ବକ୍ସିବଜାର ଅଂଚଳର ଅବ୍ଦୁଲ କାଦିର, ଜଗତସିଂହପୁର ଜିଲା କ୍ରିଷ୍ଣାନନ୍ଦପୁର ଅଂଚଳର ସେକ୍ ନଦିମ୍, କଟକ ଗତିରାଉତପାଟଣା ଅଂଚଳର ଶ୍ରୀନାଥ ଆଲିଆସ ଶ୍ରୀନିବାସ ରାଉତ, କେନ୍ଦୁଝର ଜିଲା ଆନନ୍ଦପୁର ତଥା ବର୍ତମାନ ଭୁବନେଶ୍ୱର ପାତ୍ରପଡ଼ା ଅଂଚଳର ହିମାଂଶୁ ଶେଖର ସାହୁ, କଟକ ଭାଣପୁର ନିକଟ ପିରବଜାର ଅଂଚଳର ସୟଦ ଅବ୍ଦୁଲ ସୋଫିଆନ୍ ଓ କଟକ ବାରଙ୍ଗ ମଧୁପୁର ଅଂଚଳର ପଦିଆ ଆଲିଆସ ପ୍ରଦୀପ ସାହୁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ନାମରେ ନିର୍ଯ୍ୟାତନା, ହତ୍ୟା ଏବଂ ଜଘନ୍ୟ ଅପରାଧୀକ ମାମଲା ବିଭିନ୍ନ ଥାନାରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏ ସମ୍ପର୍କରେ କଟକ ସଦର ଥାନାରେ କେଶ ନଂ-୪୪/୨୦୨୪ ରେ ଏକ ମାମଲା ରୁଜୁ କରାଯାଇଛି ।
ଗିରଫ ଅପରାଧୀ ମହମ୍ମଦ ସକିଲ ନାମରେ କଟକ, କ୍ୟାନଟନମେଂଟ ଥାନା ,ମଧୁପାଟଣା ଥାନା, ମଲେଗୋଦାମ ଥାନା, ପୁରୀଘାଟ ଥାନା, ବାଦାମବାଡ଼ି ଥାନା, ଦରଘାବଜାର ଥାନା,କଟକ ସଦର ଥାନା, ଚୌଦ୍ୱାର ଥାନା, ଚାଉଳିଆଗଂଜ ଥାନା ,ଲାଲବାଗ ଥାନା ଓ ମର୍କଟନଗର ଥାନାରେ ମୋଟ୍ ୪୦ ରୁ ଅଧିକ ଅପରାଧୀକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସେକ୍ ନଦିମ୍ ନାମରେ କ୍ରିଷ୍ଣାନନ୍ଦପୁର ଥାନା, ପାଟକୁରା ଥାନା ଓ ଖୋର୍ଦ୍ଧା ସଦର ଥାନାରେ ମୋଟ୍ ୫ ଟି ଅପରାଧୀକ ମାମଲା ରହିଥିବା ସୂଚନା । ଶ୍ରୀନାଥ ଆଲିଆସ ଶ୍ରୀନିବାସ ରାଉତ ନାମରେ କଟକ ଚାଉଳିଆଗଂଜ, କିଶନନଗର,ବିରିଡ଼ି, କନ୍ଦରପୁର,ଜଗତସିଂହପୁର, ଚୌଦ୍ୱାର ଓ ଭୁବନେଶ୍ୱର ଖାରବେଳନଗର ଥାନାରେ ମୋଟ୍ ୧୨ ରୁ ଅଧିକ ମାମଲା ରହିଛି । ହିମାଂଶୁ ଶେଖର ସାହୁ ନାମରେ ଭୁବନେଶ୍ୱର ଶହିଦନଗର ଓ ଲକ୍ଷ୍ମୀସାଗର ଥାନାରେ ୨ ଟି ଅପରାଧୀକ ମାମଲା ରହିଛି । ସୟଦ ଅବ୍ଦୁଲ ସୋଫିଆନ୍ ନାମରେ କଟକ ସଦର ଥାନାରେ ୩ ଟି ଅପରାଧୀକ ମାମଲା ରହିଛି । ଅବ୍ଦୁଲ କାଦିର ନାମରେ କଟକ ଦରଘା ବଜାର, କ୍ୟାନଟନମେଂଟ ଥାନା,ମଙ୍ଗଳାବାଗ ଥାନା, ମର୍କଟନଗର ଥାନା , ତିର୍ତୋଲ ଥାନା ଓ ଅନୁଗୁଳ ଥାନାରେ ୧୫ଟି ମାମଲା ରହିଛି । ପଦିଆ ଆଲିଆସ ପ୍ରଦୀପ ସାହୁ ନାମରେ ବାରଙ୍ଗ ଥାନାରେ ୪ ଟି ଅପରାଧୀକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *