୫ଫୁଟିଆ ଗୋଖର ସାପ ଉଦ୍ଧାର

ପାଟକୁରା,୨୭/୧୧/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ଗ୍ରାମରୁ ଏକ ୫ ଫୁଟିଆ ଗୋଖର ସାପ ଉଦ୍ଧାର କରାଯାଇଛି । ପ୍ରକାଶ ଥାଉକି ବେଡାରୀ ପଞ୍ଚାୟତର ବେଡାରୀ ଗ୍ରାମର ଶୁକଦେବ ସାହୁ ଙ୍କ ଘର ମଧ୍ୟରେ ସନ୍ଧ୍ୟା ସମୟରେ ଏକ ଗୋଖର ସାପ ପଶିଯାଇଥିଲା । ସାପକୁ ଦେଖି ପରିବାର ର ଲୋକମାନେ ଭୟରେ ଘର ମଧ୍ୟରୁ ବାହାରକୁ ପଳାଇ ଆସିଥିଲେ । ଏହି ସାପକୁ ଘରମଧ୍ୟରୁ ଧରିବା ପାଇଁ ଲୋକମାନେ ଅନ୍ତେଇ ଗ୍ରାମର ପ୍ରକୃତିବନ୍ଧୁ ତଥା ସ୍ନେକ୍ ମାଷ୍ଟର ଉଦୟନାଥ ଚୌଧୁରୀ ଙ୍କୁ ଖବର ଦେଇଥିଲେ ।

ସେଠାରେ ପହଁଞ୍ଚି ଶ୍ରୀ ଚୌଧୁରୀ କୌଶଳକ୍ରମେ ସାପଟିକୁ ଆୟତ କରି ନେଇଥିଲେ । ସାପଟିର ଲମ୍ବ ପ୍ରାୟ ପାଞ୍ଚ ଫୁଟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ସାପଟିକୁ ନେଇ ଏକ ସୁରକ୍ଷିତ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବାର ଶ୍ରୀ ଚୌଧୁରୀ କହିଛନ୍ତି । ଆଖପାଖ ଗାଁର ବିଭିନ୍ନ ଲୋକମାନେ ସାପ ଦେଖିଲେ ଉଦୟନାଥ ଚୌଧୁରୀ ଙ୍କୁ ଖବର ଦିଅନ୍ତି । ତେବେ ଇତି ମଧ୍ୟରେ ଲୋକମାନଙ୍କୁ ସାପ ଭୟରୁ ମୁକ୍ତି କରିବା ପାଇଁ ଶ୍ରୀ ଚୌଧୁରୀ ବିଭିନ୍ନ ଲୋକମାନଙ୍କ ଘରୁ , ଦୋକାନ ଘରୁ ଓ ବାଡି ଆଦିରୁ ବହୁ ଗୋଖର ସାପ , ତମ୍ପ ସାପ ଓ ରଣା ସାପ ଆଦି ଧରି ଦୂରଦୂରାନ୍ତରରେ ଛାଡି ଦେଉଛନ୍ତି ।

ଶ୍ରୀ ଚୌଧୁରୀ ଇତି ମଧ୍ୟରେ ୧୦/୧୫ ହଜାର ବିଶାକ୍ତ ସାପ ଧରି ଜଙ୍ଗଲ ମଧ୍ୟରେ ଛାଡିଲେଣି । ବନବିଭାଗକୁ ଖବର ଦେଲେ ବି ସେମାନଙ୍କ ପକ୍ଷରୁ କେହି କେବେ ଆସୁ ନାହାନ୍ତି , ଫୋନ କଲେବି ତାଙ୍କର କେହି ଲୋକ ନାହାନ୍ତି ବୋଲି ଖବର ମିଳେ । ଏପରିକି ବିଭିନ୍ନ ସ୍ଥାନରୁ ସାପ ଧରାଳିମାନେ ସାପ ଧରି ନିର୍ଜନ ସ୍ଥାନରେ ଛାଡିବାକୁ ବାଧ୍ୟ ହେଉଛନ୍ତି । ବିଶେଷ କରି ଧରାଯାଉଥିବା ସାପ ଗୁଡିକୁ ଜାତୀୟ ଉଦ୍ୟାନ ଭିତରକନିକାରେ ଛାଡିବା ପାଇଁ ଫୋନ କଲେ ବି ସେଠାକୁ ନେଇ ଛାଡି ଦେଇ ଆସିବାକୁ କୁହାଯାଉଛି । ତେବେ ବିଷଧର ସର୍ପ ତଥା ବିରଳ ସାପଗୁଡିକୁ ଧରିବା ପାଇଁ ଓ ସେମାନଙ୍କୁ ଉଦ୍ଧାର କରି ଭିତରକନିକାରେ ଛାଡିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *