କେନ୍ଦ୍ରାପଡା ସ୍କାଉଟ୍ସ ସଂଗଠନ କମିଶନର, ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନଙ୍କୁ ରାଜ୍ୟ ସ୍ତରୀୟ ଉତ୍ସବରେ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୮/୦୯/୨୦୨୬ (ଓଡ଼ିଶା ସମାଚାର)- ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସମ୍ବର୍ଦ୍ଧନା ସେବା ସମ୍ମାନ ପ୍ରଦାନ ଉତ୍ସବ ରାଜ୍ୟ ମୁଖ୍ୟାଳୟ(ବି.ଏସ.ଆଣ୍ଡ ଜି. ଏସଏଚକୁ୍ୟ)ରେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ସଭାପତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜାତୀୟ ଉପସଭାପତି ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ମୁଖ୍ୟ କମିଶନର କାଳୀ ପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଭାବେ ରାଜ୍ୟ ଉପସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ଭାବେ ରାଜ୍ୟ ବି.ଏସ. ଆଣ୍ଡ ଜି.ର ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ପ୍ରମୁଖ ଯୋଗଦେଇ ବିଭିନ୍ନ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟ ତଥା ସମାଜସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ମାନଙ୍କୁ ପୁଷ୍ପଗୁଛ, ମୋମେଂଟୋ,ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

କେନ୍ଦ୍ରାପଡା ଜିଲା ଭାରତ ସ୍କାଉଟ୍ସର ସଂଗଠନ କମିଶନର ଦେବରାଜ ନାୟକଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା, ସମାଜସେବା ଓ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟ ପାଇଁ ସ୍ୱର୍ଗତ ରଘୁନାଥ ସେବା ସମ୍ମାନ, ସ୍କାଉଟ ମାଷ୍ଟର ଗୋଲକ ବିହାରୀ ଭୂୟାଁ ଓ ଗାଇଡ କ୍ୟାପଟେନ ନମିତା ନାୟକଙ୍କୁ ସମାଜସେବା ଓ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟ ପାଇଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ନାମରେ ନାମିତ ବସନ୍ତ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜିଲାର ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ କେନ୍ଦ୍ରାପଡା ଜିଲା ସ୍କାଉଟ୍ସ ଓ ଗାଇଡ୍ସର ମୁଖ୍ୟ କମିଶନର ତଥା ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଓ ଜିଲା ସ୍କାଉଟ୍ସ କମିଶନର ପିତବାସ ପଣ୍ଡା ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *