କେନ୍ଦ୍ରାପଡ଼ା, ୨୮/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ମାଇଁ ଭାରତ ପକ୍ଷରୁ ମାଇଁ ଭାରତ, ଏନଏସଏସ ଓ ଯୁବକ ସଂଘର ସ୍ୱେଛାସେବୀମାନଙ୍କ ସକ୍ରିୟ ସହଯୋଗରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବା ଅଭିଯାନ ଅନ୍ତର୍ଗତ ଏକଶହ ସପ୍ତାହର ନିଶାମୁକ୍ତ ଭାରତ ଅଭିଯାନର ଅଂଶବିଶେଷ ଭାବେ ମୋ ସ୍ୱାସ୍ଥ୍ୟ, ମୋ ଗର୍ବ ବିଷୟକୁ ନେଇ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ସହରର ଖଡିଅଙ୍ଗସ୍ଥିତ ପୁରୁଣା ଡାକ୍ତରଖାନାସ୍ଥିତ ସହରାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ(ମେଡିକାଲ) ଡା. କିଶୋର ଚନ୍ଦ୍ର ମିଶ୍ର ଉଦଘାଟନ କରିଥିବା ବେଳେ ଡା. ପ୍ରକାଶ ବଳିଆରସିଂ ଓ ଡା. ଶ୍ରୀଜୟ ବିଶ୍ୱାଳ ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । 
ଏହା ପରେ ମାଇଁ ଭାରତର ଜିଲା ଯୁବସେବା ଅଧିକାରୀ ସିଦ୍ଧାର୍ଥ ଯାଦବଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଡା. ବିରେନ୍ଦ୍ର କୁମାର ଦାସ, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଫେସର ଶିଶିରକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଡା. ସଞ୍ଜୀତ କୁମାର ସେଠୀ ଓ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଫିସର ମୃତୁ୍ୟଞ୍ଜୟ ମହାନ୍ତି ପ୍ରମୁଖ ଯୋଗଦେଇ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଗୁରୁତ୍ୱାରୋପ କରିବା ସହ ସନ୍ତୁଳିତ ଖାଦ୍ୟ, ଶାରୀରିକ ବ୍ୟାୟାମ, ବ୍ୟକ୍ତିଗତ ପରିଛନ୍ନତା, ମାନସିକ ସୁସ୍ଥତା ଏବଂ ରୋଗ ପ୍ରତିରୋଧ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ ପୂର୍ବକ ଯୁବାମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ଉପସ୍ଥିତ ଯୁବାମାନେ ଏକ ଶପଥ ପାଠ କରିଥିଲେ ।
