ଗଡ଼ଶ୍ରୀରାମପୁର ଠାରୁ ପୂରଣ ପ୍ରଧାନ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଲୋକାର୍ପିତ

ଭୁବନେଶ୍ୱର,୨୪/୧୨/୨୦୨୪ (ଓଡ଼ିଶା ସମାଚାର)-ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଆଜି ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ୍‌ ଅନ୍ତର୍ଗତ ଗଡ଼ଶ୍ରୀରାମପୁର ଠାରୁ ପୂରଣ ପ୍ରଧାନ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସଂଯୋଗ କରିଥିବା ରାସ୍ତା ଲୋକାର୍ପିତ କରିଛନ୍ତି ।

ଏହି ରାସ୍ତାଟି ଉମାଦେଈ-ବରହମ୍‌ପୁର, ଏରକଣ୍ଟା ଓ ପୂରଣଶାସନ ଗ୍ରାମ ଦେଇ ପୂରଣ ପ୍ରଧାନ ଗ୍ରାମକୁ ସଂଯୋଗ କରୁଛି । ୬.୪୪୦ କିମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାର ୫.୦୪୦ କିମି କଂକ୍ରିଟ୍‌ ରାସ୍ତା ହୋଇଥିବାବେଳେ ୧.୪୦୦ କିମି. ପିଚୁ ରାସ୍ତା ରହିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଏହି ରାସ୍ତାଟି ୩୨୯.୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହି ରାସ୍ତା ସଂପୂର୍ଣ୍ଣ ହେବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ବହୁଦିନର ଦାବି ପୂରଣ ହୋଇଛି ଏବଂ ଏଥିନେଇ ସେମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ଲୋକାର୍ପଣ ଉତ୍ସବରେ ଜୟଦେବ ବିଧାନସଭା ଅଞ୍ଚଳର ଜନସାଧାରଣଙ୍କ ସମେତ ଗ୍ରାମ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ଅଶୋକ କୁମାର ବେହେରା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *