ଲୋକସେବା ଭବନରେ ଜାତୀୟ ଭୋଟର ଦିବସ ପାଳିତ – ସଂକଳ୍ପ ପାଠ କରାଇଲେ ମୁଖ୍ୟ ଶାସନ ସଚିବ

ଏବର୍ଷ ଜାତୀୟ ମତଦାତା ଦିବସର ବାର୍ତ୍ତା ରହିଛି ‘ମୋ ଭାରତ ମୋ ଭୋଟ’

ଭୁବନେଶ୍ୱର,୨୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୧୬ ତମ ଜାତୀୟ ମତଦାତା ଦିବସ ଆଜି ଲୋକସେବା ଭବନରେ ପାଳିତ ହୋଇଯାଇଛି ।  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ସଂକଳ୍ପ ପାଠ କରାଇଥିଲେ । ପ୍ରତିବର୍ଷ ସମଗ୍ର ଦେଶରେ ଜାନୁଆରୀ ୨୫ ତାରିଖରେ ଜାତୀୟ ମତଦାତା ଦିବସ ପାଳନ କରାଯାଉଥିବା ବେଳେ ଏବର୍ଷ ଜାନୁଆରୀ ୨୫ ତାରିଖ ରବିବାର ଏବଂ ପୂର୍ବବର୍ତ୍ତୀ ୨୩ ଓ ୨୪ ତାରିଖ ସରକାରୀ ଛୁଟି ଦିବସ ପଡ଼ୁଥିବାରୁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଆଧାରରେ ରାଜ୍ୟବ୍ୟାପୀ ଆଜି ଜାତୀୟ ମତଦାତା ଦିବସ ପାଳନ ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା ।

ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି- ‘ମୋ ଭାରତ ମୋ ଭୋଟ’ l ଭାରତର ନାଗରିକ ଭାବରେ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖ୍, ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖ୍, ନିର୍ଭିକ ହୋଇ, ଜାତି, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।

ଏହି ଶପଥ ପାଠ କାର୍ଯ୍ୟକ୍ରମ ସମୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂଙ୍କ ସମେତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଯୋଜନା ଓ ସଂଯୋଜନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ମତଦାତା ଦିବସର ସଂକଳ୍ପ ପାଠ କରିଥିଲେ । ସେହିପରି ଲୋକସେବା ଭବନ ଏବଂ ଖାରବେଳ ଭବନସ୍ଥିତ ବିଭିନ୍ନ ବିଭାଗର କାର୍ଯ୍ୟାଳୟରେ ମଧ୍ୟ ମତଦାତାଙ୍କ ସଂକଳ୍ପପାଠ କରାଯାଇଛି ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *