କାଜୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଜବତ।

ଓଡଗାଁ,୦୧/୦୬/୨୦୨୫ (ଓଡ଼ିଶା ସମାଚାର)- ଓଡ଼ଗାଁ ଆଦର୍ଶ ଥାନା ଗୋଡିପଲି ନିକଟସ୍ଥ ଏକ କାଜୁ ଜଙ୍ଗଲରୁ ଜନୈକ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଠାବ କରିଥିଲା ।  ପୋଲିସ ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା  ପାଇ ଅପରାହ୍ନରେ ଘଟଣା ସ୍ଥଳରେ ପହଂଚି ଏକ କାଜୁ ଗଛରେ ବେକରେ ଗାମୁଛା ବାନ୍ଧି ତଳେ ଦୁଇ ଗୋଡ଼ ଲାଗିଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲା । ମୃତ ଦେହ ନିକଟରେ ଓଡି ୩୨ ଜେ ୦୮୪୬ ନମ୍ବର ବିଶିଷ୍ଟ ଏକ ନୁଆଁ ହୋଣ୍ଡା ବାଇକ, ଏକ ମୋବାଇଲ ରହିଥିବା ଦେଖିବା ପରେ ବାଇକ ନମ୍ବର ଓ ମୋବାଇଲ ଫୋନକୁ ଭିତ୍ତି କରି ସମ୍ପୃକ୍ତ ଯୁବକଙ୍କ ପରିବାରକୁ ସୂଚନା ଦେଇଥିଲେ ।

ମୃତ ଯୁବକ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମର ଶଙ୍କର ବିଷୋୟୀ (୨୪)ବୋଲି ଜଣା ପଡିଥିଲା । ମୃତକଙ୍କ ଅଜା ଭଗବାନ ବେହେରା (୭୩) ପୋଲିସ ଠାରୁ ସୂଚନା ପାଇ ମୃତ ଦେହ ଚିହ୍ନଟ କରିବା ସହିତ ପୋଲିସକୁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ ଶନିବାର ଅରାହ୍ନରେ ତାଙ୍କ ନାତି ଗାଁର ଏକ ଯୁବତୀଙ୍କୁ ସାଙ୍ଗରେ ଆଣି ଘରୁ କୁଆଡେ ବାହାରି ଆସିଥିଲା । ହେଲେ ମୃତ ଦେହ ନିକଟରେ ବିଷ ବୋତଲ, ବାଇକ ଓ ଚପଲ ସବୁ ପଡ଼ିଥିବା ବେଳେ ଦୁଇ ଗୋଡ଼ ଖୁଲନ୍ତା ଅବସ୍ଥାରେ ତଳେ ଲାଗିରହିଥିବା ଦେଖାଯାଇଥିଲା । ହେଲେ ସେ ଆତ୍ମହତ୍ୟା କରିଛି କି ତାକୁ କେହି ବିଷ ପିଆଇ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଛି, ସେ ନେଇ ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଶାସ୍ତି ଦେବାକୁ ଅଜା ଦାବି କରିଛନ୍ତି ।

ଅନ୍ୟପକ୍ଷେ ମୃତ ଯୁବକ ସହିତ ଫେରାର ହୋଇଥିବା ଯୁବତୀଙ୍କୁ ଖୋଜିବାକୁ ଦୁଇ ତିନି ଜଣ ଯୁବକ ସ୍ଥାନୀୟ ଅଞ୍ଚଳରେ ସନ୍ଧ୍ୟାରେ ପଚରା ଉଚୁରା କରୁଥିବା ସାଧାରଣରେ ଆଲୋଚନା ହେଉଥିଲା । ତେବେ ମୃତକଙ୍କ ସହିତ ଗାଁରୁ ଚାଲି ଆସିଥିବା ଯୁବତୀ ଜଣଙ୍କ ଫୋନ ନମ୍ବର ମାଧ୍ୟମରେ ସେ ନୟାଗଡ଼ର କୌଣସି ଏକ ଲଜରେ ରହିଥିବା ପୋଲିସକୁ ସୂଚନା ମିଳିଛି । ଏବଂ ଫେରାର ହେବା ସମୟରେ ଘରୁ ପ୍ରାୟ ୪ ଲକ୍ଷ ଟଙ୍କା ନେଇଆସିଥିବା ନେଇ ଗାଙ୍ଗପୁର ଗ୍ରାମର ଝିଅର ବାପା ଭଞ୍ଜନଗର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ପୋଲିସ ଏସଆଇ ଚକ୍ରଧର ସିଂ ଶବ ସହିତ ବାଇକ ମୋବାଇଲ ଜବତ କରି ଏକ ଅପ ମୃତ୍ୟୁ ମାମଲା ୨୨/୨୦୨୫ ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *