କାର୍ଯ୍ୟାନୁଷ୍ଠାନ ପାଇଁ ବଳଦେବସେନା ପକ୍ଷରୁ ଏସପିଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା,୧୯/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ଓ ଶ୍ରୀଲଛମନଜୀଉଙ୍କ ମନ୍ଦିର ଉପରେ ବୋମା ଆକ୍ରମଣ କରିବାକୁ ଧମକ ଦିଆଯାଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଗମ୍ଭୀର ଘଟଣାକୁ ନେଇ ବଳଦେବ ସେନା ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ତୁରନ୍ତ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଏନେଇ ଜିଲା ଆରକ୍ଷୀ ଅଧୀକ୍ଷକ ଘଟଣା ସମ୍ପର୍କରେ ସାଇବର ୟୁନିଟକୁ ସୂଚିତ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ମନ୍ଦିର ଫାଣ୍ଡିରେ ଅଧିକ ସଂଖ୍ୟକ ଆରକ୍ଷୀ ବଳଙ୍କୁ ନିୟୋଜିତ କରାଯିବ ବୋଲି ମଧ୍ୟ ଏସପି ଆଶ୍ୱାସନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବାରୁ ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ନିଶ୍ଚିତ କରାଯିବା ନିତ୍ୟାନ୍ତ ଆବଶ୍ୟକ ।
ଏପରି ଧମକମୂଳକ ମନ୍ତବ୍ୟ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ବଳଦେବ ସେନା ସଭାପତି ପପୁନ୍ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା ଓ ମନୋରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
