ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ହେବ ଆଲୋଚନା
ଭୁବନେଶ୍ୱର,୨୯/୦୪/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଆଲୋଚନା ପାଇଁ ଆସନ୍ତା କାଲି ଗୁରୁବାର ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ । ଏହି ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୭୦ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ । ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା ।
ଏସଟିୟୁ, ଡଗ ସ୍କ୍ୱାଡ, ବମ୍ ସ୍କ୍ୱାଡ ସହ ଅଗ୍ନିଶମ ବିଭାଗକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଲୋୟର ପିଏମଜିରେ ୧୪୪ ଧାରା ଜାରି କରାଯିବ ବୋଲି ସୂଚନା ମିଳିଛି । ଗୁରୁବାର ଦିନ ୧୧ଟାରୁ ସ୍ୱତନ୍ତ୍ର ଅଧିବେଶନ ବସିବ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ଭାରତର ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ଉପରେ ଏଥିରେ ଆଲୋଚନା ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ବୁଧବାର ବାଚସ୍ପତି ଓ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।
