ସୁନା ଦୋକାନୀଙ୍କୁ ହାଣି ସୁନା ଗହଣା ଲୁଟ୍

ଟାଙ୍ଗିଆ ଚୋଟରେ ଛିଣ୍ଡିଲା ମାଲିକଙ୍କ ଦୁଇ ପାପୁଲି
କେନ୍ଦ୍ରାପଡ଼ା, ୧୧/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ଅଧିନ କୁଦାନଗରୀ ଥାନା ଅନ୍ତର୍ଗତ ହୁରାସାହି-ଘୋଡାଦଣ୍ଡା କେନାଲ ବନ୍ଧ ରାସ୍ତାରେ ଜଣେ ଗହଣା ଦୋକାନୀଙ୍କୁ ହାଣି ଦୁର୍ବୃତମାନେ ଗହଣା ବ୍ୟାଗ ଓ ଟଙ୍କା ଲୁଟି ନେଇଛନ୍ତି । ଏହି ଆକ୍ରମଣରେ ଗହଣା ଦୋକାନୀଙ୍କ ଦୁଇ ହାତର ପାପୁଲି ଛିଣ୍ଡି ଯାଇଛି । ଆକ୍ରମଣର ଶିକାର ଗହଣା ଦୋକାନୀ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ଥାନା ଅଧିନ ଠାକୁରହାଟ ଅଂଚଳର ଲିଟୁ ନନ୍ଦୀ ଓରଫ ଲିଟୁ । ଖବର ନେବାରୁ ଜଣାପଡିଛି ଠାକୁରହାଟ ଅଂଚଳର ଲିଟୁ ଗରଦପୁର ବ୍ଲକ ବଙ୍ଗାଳପୁର ପଂଚାୟତର ଚଅଁପୁର ବଜାରରେ ଜଗନ୍ନାଥ ଜୁଏଲର୍ସ ନାମକ ସୁନା ଗହଣା ଦୋକାନ କରିଛନ୍ତି ।

ପ୍ରତିଦିନ ପରି ରବିବାର ରାତି ପ୍ରାୟ ସାଢ଼େ ୭ଟାରେ ସେ ଦୋକାନ ବନ୍ଦ କରି ସୁନାଗହଣା ଓ ଟଙ୍କା ଧରି ତାଙ୍କ କାରରେ ଗାଁକୁ ଫେରୁଥିଲେ । ହେଲେ ପୂର୍ବରୁ ହୁରାସାହି-ଘୋଡାଦଣ୍ଡା କେନାଲ ବନ୍ଧ ରାସ୍ତାରେ ଲୁଚି ରହିଥିବା ଏକ ଲୁଟିଆ ଦଳ ତାଙ୍କ କାର ସମ୍ମୁଖକୁ ଆସି କାରକୁ ଅଟକାଇଥିଲେ । ଲିଟୁ କାର ଅଟକାଇବା ପରେ ଲୁଟିଆମାନେ ଗାଡି ଚାରିପଟେ ଘେରି ଯାଇଥିଲେ । ଲୁଟିଆମାନେ କାଚକୁ ଟାଙ୍ଗିଆରେ ହାଣିଥିଲେ । କାଚ ଭାଙ୍ଗିବା ପରେ ଟାଙ୍ଗିଆରେ ଲିଟୁଙ୍କୁ ହାଣିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଲିଟୁ କାରରୁ ବାହାରି ଗହଣା ବ୍ୟାଗ ଧରି ହୁରା ସାହି ଗାଁ ଆଡକୁ ଦୌଡିଥିଲେ ।

କିନ୍ତୁ ଲୁଟିଆମାନେ ତାଙ୍କ ହାତକୁ ଟାଙ୍ଗିଆରେ ହାଣି ଦେଇଥିଲେ । ଏହାଦ୍ୱାରା ଲିଟୁଙ୍କ ଦୁଇଟି ପାପୁଲି ଛିଣ୍ଡି ଯାଇଥିଲା । ଏହାର ସୁଯୋଗ ନେଇ ଲୁଟିଆମାନେ ଗହଣା ବ୍ୟାଗ ଓ ଟଙ୍କା ବ୍ୟାଗ ନେଇ ଫେରାର ହୋଇ ଯାଇଛନ୍ତି । ଖବର ପାଇ କୁଦାନଗରୀ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆ ଜବତ ହୋଇଛି । ଏ ସଂକ୍ରାନ୍ତରେ ଥାନାଧିକାରୀ ଜଗନ୍ନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ ଦୁଇଟି ବାଇକରେ ୬ ଜଣ ଡକାୟତ ଲିଟୁଙ୍କୁ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଲିଟୁଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଲୁଟିଆମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *