ମାଛ ମାରିବା ପାଇଁ ଯାଉ ଥିଲା ବେଳେ ସାଙ୍ଗରେ ନେଇଥିବା ଡିନାମାଇଟ ଫୁଟି ଦୁଇ ମୃତ ଜଣେ ଗୁରୁତର ଆହତ।

ଯାଜପୁର, ୧୩/୦୫/୨୦୨୫(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ ଛତିଆ ବାଇ ପାସ ବସ ଷ୍ଟାଣ୍ଡ ସମ୍ମୁଖରେ ଭୟଙ୍କର ବିସ୍ପୋରଣ ଘଟିଛି। ଛତିଆ ବାଇ ପାସ ବସ ଷ୍ଟାଣ୍ଡ ନିକଟରେ ବିସ୍ପୋରଣ ହୋଇ ଥିବା ବେଳେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ବଡଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଘଟଣା ରୁ ପ୍ରକାଶ ଯେ ବଡ଼ଚଣା ଖଇରା ହାଟ ଆଦିବାସୀ ସାହିର ରାମ ପିଙ୍ଗୁଆ ,ନେପାଳୀ ପୂର୍ତି ଓ ଚଣ୍ଡିତଳ ର ମଣ୍ଟୁ ପାତ୍ର ମାଛ ମାରିବା ପାଇଁ ସାଙ୍ଗରେ ଡିନାମାଇଟ ନେଇ ଛତିଆ ଅଭିମୁଖେ ବାଇକ ଯୋଗେ ଯାଉଥିଲେ। ଛତିଆ ବସ ଷ୍ଟାଣ୍ଡ ନିକଟରେ ଥିବା ଦେଶୀ ମଦ ଦୋକାନ ନିକଟରେ ମଦ ପିଇବାପାଇଁ ଅଟକିଥିବା ସମୟରେ ସାଙ୍ଗରେ ନେଇଥିବା ଡିନାମାଇଟ ଫୁଟିଯାଇଥିଲା । ଫଳରେ ରାମ ପିଙ୍ଗୁଆ ଓ ମଣ୍ଟୁ ପାତ୍ର ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁହିଁଙ୍କ ର ମୃତ୍ୟୁ ଏତେ ଭୟଙ୍କର ଥିଲା ଯେ ତାଙ୍କର ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ ଏଣେ ତେଣେ ଛିନ୍ନ ଛତ୍ର ହୋଇ ପଡିଥିଲା।

ସଙ୍ଗେ ସଙ୍ଗେ ବୈରୀ ଥାନା ଅଧିକାରିଣୀ ଅଂଶୁମାଳା ଦାସ ଓ ଅନ୍ୟ କର୍ମଚାରୀ ମାନେ ପହଞ୍ଚି ଆହତ ନେପାଳୀ ପୂର୍ତି କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ବଡ ଡାକ୍ତରଖାନା ପଠାଇଯାଇଛି। ଗୁରୁତର ଆହତ ହୋଇଥିବା ନେପାଳୀ ପୂର୍ତି ଠାରୁ ଏହି ଘଟଣା ର ତଥ୍ୟ ମିଳିଛି।

ଘଟଣା ସ୍ଥଳ ରେ ସାଇଣ୍ଟିଫିକ ଟିମ, ଏସ୍ଡ଼ିପିଓ ଲଷ୍ମୀଧର ସ୍ୱାଇଁ, ବଡ଼ଚଣା ଥାନା ଅଧିକାରିଣୀ ଚିନ୍ମୟୀ ବେହେରା, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ଓ ୨ ପ୍ଲାଟୁନ ଫୋର୍ସ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ଛିନ ଛତର ହୋଇ ପଡ଼ିଥିବା ଶରୀର ର ଅଂଶ ଗୁଡିକୁ ଏକତ୍ରିତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ପଲସର୍ ବାଇକ୍ (ଓଡି-୦୪ଭି-୭୭୪୭) ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଲୋକେ ଜମା ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *