ଯାଜପୁର, ୦୬/୦୧/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ସାଧାରଣତନ୍ତ୍ର ଦିବସ ପାଳନ କମିଟି ଅଧ୍ୟକ୍ଷ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଧାରଣତନ୍ତ୍ର ଦିବସକୁ ଶାନ୍ତି ଶୃଙ୍ଖଳା, ହର୍ଷ ଉଲ୍ଲାସ ର ସହ ପାଳନ କରିବା ସହ ଏଦିଗରେ ସମସ୍ତେ ନିଷ୍ଠାର ସହ ପ୍ରସ୍ତୁତି କରିବା ପାଇଁ ଜିଲ୍ଲାପାଳ ଶ୍ରୀ କର କହିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ବିବରଣୀ ପାଠ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଜାତୀୟ ସଂହତି ଏବଂ ଏକତା ବଜାୟ ରଖି ସାଧାରଣତନ୍ତ୍ର ଦିବସ ପାଳନ କରିବା ପାଇଁ ବାର୍ତ୍ତା ଦେଇଥିଲେ। ଆଲୋଚନା ପରେ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବମାନ ଗୃହୀତ ହୋଇଥିଲା ଏବଂ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା। ପ୍ରଶାସନିକ ଭବନ ପଡିଆଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ – ୨୦୨୬ ଅନୁଷ୍ଠିତ ହେବ। ଜାନୁୟାରୀ ୨୬ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ରାମଧୂନ୍ କରାଯିବ। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତଫେରି ସହ ସକାଳ ୭.୩୦ ମିନିଟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ।
ସକାଳ ଘ. ୮.୩୦ ମିନିଟ ସମୟରେ ପ୍ରଶାସନିକ ଭବନ ପଡିଆଠାରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ପରିଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହେବ। ଏହି ଅବସରରେ ଡାକ୍ତରଖାନାର ରୋଗୀମାନଙ୍କୁ ଫଳ ବଣ୍ଟନ, ଜେଲର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, କୁଷ୍ଠାଶ୍ରମରେ ଏବଂ ବାଳାଶ୍ରମରେ ମିଷ୍ଟାନ୍ନ ବଣ୍ଟନର କାର୍ଯ୍ୟକ୍ରମ ସ୍ଥିର ହେଲା।ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ,ଉପ ଆରକ୍ଷୀ ଅଧିକ୍ଷକ ଟାଉନ ଥାନା , ଜିଲ୍ଲା କ୍ରୀଡା ଅଧିକାରୀ, ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ, ପୌର ପରିଷଦ ନିର୍ବାହୀ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ,ଶିକ୍ଷୟତ୍ରୀ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।
