ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ଯାଜପୁର,୦୬/୦୧/୨୦୨୬ (ଓଡ଼ିଶା ସମାଚାର)- ସ୍ଥାନୀୟ କୁସୁମା ପଡ଼ିଆଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଛି। ୨ ଦିନ ବ୍ୟାପୀ ଆୟୋଜିତ ହେଉଥିବା ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ବକ୍ତବ୍ୟରେ କହିଥିଲେ ଯେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା କରିବା ପାଇଁ ଯେଉଁ କେତୋଟି ଦିଗ ରହିଛି, ସେ ଭିତରେ କୃଷି ଏବଂ ପଶୁପାଳନ ଗୁରୁତ୍ୱପୂର୍ଣ୍ଣ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ହେଲେ ହିଁ ଯାଜପୁର ବିକଶିତ ହେବ ଏବଂ ରାଜ୍ୟ ବିକଶିତ ହେବ । ଆଜି ଯାଜପୁର ଜିଲ୍ଲା ଗୋପାଳନରେ ଏକ ନମ୍ବର। କୃଷି, ମତ୍ସ୍ୟ, ପଶୁପାଳନ, ସମବାୟ ସମିତି ଏବଂ ପାଣିପାଗ ଏ ସବୁ ସମନ୍ୱିତ ହେବା ଆବଶ୍ୟକ। ଏଥିରେ ଏଆଇ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଇପାରିବ।

ଚାଷୀଙ୍କ ପାଖରେ ସଚେତନତା ବାର୍ତ୍ତା, ଚାଷ ଏବଂ ଯୋଜନା ସମ୍ବନ୍ଧୀୟ ସଠିକ୍ ସୂଚନା ପହଞ୍ଚିବା ଉଚିତ ବୋଲି ସାଂସଦ ଡା. ବେହେରା କହିଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ସୁବ୍ରତ କୁମାର ମହାପାତ୍ର ସ୍ଵାଗତ ଅଭିଭାଷଣ ଦେଇଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା,ଶ୍ରୀମତୀ ନଳିନୀ ପ୍ରଭା ଜେନା, ଜିଲ୍ଲା ମତ୍ସ୍ୟ ଅଧିକାରୀ ରଞ୍ଜିତା ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତପନ କୁମାର ମହାପାତ୍ର, ଓମଫେଡ କଟକର ଜେନେରାଲ ମ୍ୟାନେଜର ଯୋଗ ଦେଇଥିଲେ। ଏହାସହ କାର୍ଯ୍ୟକ୍ରମରେ ଏକ ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା। ଅଧିବେଶନରେ ମତ୍ସ୍ୟ ଏବଂ ପଶୁପାଳନ ବିଶେଷଜ୍ଞମାନେ ଭାଗ ନେଇ ଚାଷୀ ଭାଇ ଭଉଣୀମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କ ଶଙ୍କା ଦୂର କରିଥିଲେ।

ଏହାସହ ଅତିଥିମାନେ ଜାତୀୟ ମାନ୍ୟତାପ୍ରାପ୍ତ ବିଂଝାରପୁରୀ ଗାଈର ଚାହିଦା ବୃଦ୍ଧି ଦିଗରେ ପ୍ରଚେଷ୍ଟା ପାଇଁ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗକୁ ପ୍ରଶଂସା କରିଥିଲେ। ଏହି ମେଳାରେ ସରକାରଙ୍କ ଯୋଜନା ମାଧ୍ୟମରେ ଲାଭାନ୍ଵିତ ହୋଇଥିବା କୃଷକଙ୍କ ସଫଳ କାହାଣୀକୁ ନେଇ ବିଭିନ୍ନ ଦୃଶ୍ୟଶ୍ରାବ୍ୟ ଛବି ପ୍ରଦର୍ଶିତ ହୋଇଥିଲା। ମେଳାରେ ଜୈବପୁଞ୍ଜ ପଦ୍ଧତିରେ ସଘନ ମାଛ ଚାଷ, ସମନ୍ୱିତ ମାଛ ଚାଷ, ଜଳଜ କୃଷି, କାର୍ପ ହ୍ୟାଚେରୀ, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ବିଂଝାରପୁରୀ ଗୋପ୍ରଜାତି ଇତ୍ୟାଦି ପ୍ରଦର୍ଶିତ ହେଉଅଛି। ମତ୍ସ୍ୟ ଚାଷ ଓ ପଶୁପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *