ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ

ଜଗତସିଂହପୁର,୨୫/୦୯/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଗତ କାଲି ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ,ସମସ୍ତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ, DPMU ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ପ୍ରଗତି, ଆର୍ଥିକ ସ୍ଥିତି ଓ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଥିଲେ।

ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର NHM ଅଧୀନରେ ମୋଟ ଅନୁମୋଦିତ ବଜେଟ୍‌ର ୧୨୪ ପ୍ରତିଶତ ବ୍ୟୟ ହୋଇଥିବା ସୂଚନା ଦିଆଯାଇଥିଲା। RCH, ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ଟିକାକରଣ, ପୋଷଣ, NCD ଏବଂ Health System Strengthening ଭଳି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ୨୦୨୬-୨୭ ପାଇଁ NHM ଅଧୀନରେ ମୋଟ ଟ.୪୯.୯୭ କୋଟିର ବଜେଟ୍ ବ୍ୟବସ୍ଥା ହୋଇଥିବା ବେଳେ, ଏପ୍ରିଲ୍‌ରୁ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ୫୪ ପ୍ରତିଶତ ବ୍ୟୟ ହୋଇଥିବା ଉପସ୍ଥାପିତ ହୋଇଥିଲା।

ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକ ସେବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। AAM Hospitalର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ପ୍ରଗତିରେ ଥିବା ବେଳେ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଚାଲୁଥିବା ସିଭିଲ୍ କାର୍ଯ୍ୟର ନିୟମିତ ତଦାରଖ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଅଗ୍ନି ନିରାପତ୍ତା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ମିଳିଥିବା ଅର୍ଥର ସଠିକ୍ ବ୍ୟବହାର ଓ ଚାଲୁଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।

ବୈଠକରେ ସ୍ୱାସ୍ଥ୍ୟ ସେବାର ଡିଜିଟାଲ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ହିତାଧିକାରୀଙ୍କୁ ABHA ID ମାଧ୍ୟମରେ Health Portal ସହ ମ୍ୟାପିଂ, ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ HFR ଓ HPR ID ସହ ମ୍ୟାପିଂ ଏବଂ PM-JAY ଅଧୀନରେ Hospital Engagement Module (HEM 2.0) କାର୍ଯ୍ୟକାରୀ ହୋଇଥିବା ବିଷୟରେ ସୂଚନା ଦିଆଯାଇଥିଲା। ୨୦୨୬-୨୭ ବର୍ଷ ପାଇଁ Concurrent Auditor ନିଯୁକ୍ତିକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଥିଲା।

ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟଗୁଡ଼ିକର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ମହିଳା ଓ ଶିଶୁ ବିକାଶ ବିଭାଗ (WCD/ICDS), ଶିକ୍ଷା ବିଭାଗ, ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜଳ ଓ ପରିମଳ, ନଗର ଉନ୍ନୟନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି ଜନସାଧାରଣଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉପରେ ଆଲୋଚନା ହୋଇଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *