ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ; ଗଡ଼ିଲା ପାଣିପଞ୍ଚାୟତ ରଥ

ଜଗତସିଂହପୁର,୦୬/୦୧/୨୦୨୬ (ଓଡ଼ିଶା ସମାଚାର)-  ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ୱାବଲମ୍ବୀ ହୋଇପାରିବେ, ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ଜଳ ସମ୍ପଦ   ବିଭାଗ ତରଫରୁ ଚଳିତ ମାସ ୬ ତାରିଖ ଠାରୁ  ଜଗତସିଂପୁର ଜିଲ୍ଲା ରେ ପାଣିପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ସେହି ପରିପ୍ରେକ୍ଷୀରେ, ଆଜି ପୂର୍ବାହ୍ନ ରେଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ବିଭାଜନ ସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ମାନ୍ୟବର ସାଂସଦ,ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଅଧିକ୍ଷଣ ଯନ୍ତ୍ରୀ, ମହାନଦୀ ଦକ୍ଷିଣ ବିଭାଜନ,କଟକ ୧, ଶ୍ରୀ ସିଦ୍ଧାର୍ଥ ଶେଖର , ଅଧିକ୍ଷଣ ଯନ୍ତ୍ରୀ ଜଗତସିଂହପୁର ଶ୍ରୀ ବିପ୍ଳବ କେଶରୀ ସାହୁ ଯୋଗ ଦେଇଥିଲେ।

   ପ୍ରତ୍ୟକ୍ଷ ଯୋଗଦାନ ଓ ସହଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ଉପଲବ୍ଧ ସେଚ ଜଳର ସୁପରିଚାଳନା , ସୁଷମ ବଣ୍ଟନ  ଓ ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ତରାଇ ପ୍ରକାଶ କରିଥିଲେ। ପାଣି ପଞ୍ଚାୟତ କୁ ଅଧିକ କ୍ରିୟାଶୀଳ କରି କେନାଲ ର ଶେଷ ମୁଣ୍ଡ ରେ ଥିବା ଜମି ଗୁଡ଼ିକୁ ବିନା ବାଧା ରେ ଜଳ ଯୋଗାଣ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।

ନିଜ ବକ୍ତବ୍ୟରେ  ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ପାଣି ପଞ୍ଚାୟତ ର ସଫଳ ରୂପାୟନ ଓ କାର୍ଯ୍ୟକାରିତା ଦ୍ଵାରା ଚାଷୀ ଭାଇ ମାନଙ୍କ ର ଅନେକ ସମସ୍ୟା ର ସମାଧାନ ହୋଇପାରିବ ବୋଲି କହିଥିଲେ। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ପାଣି ପଂଚାୟତର କାର୍ଯ୍ୟକାରିତା, ଉପାଦେୟତା ବିଷୟରେ ଅବଗତ କରାଇବା ସହିତ କୃଷିଜୀବୀଙ୍କ ଗୁଣାତ୍ମକ ମାନ ବୃଦ୍ଧି ରେ ଏହା ସହାୟକ ବୋଲି କହିଥିଲେ। ସମସ୍ତଙ୍କ ସହଯୋଗ ରେ ହିଁ ଏହାର କାର୍ଯ୍ୟକାରିତା ସଫଳ ହୋଇପାରିବ ବୋଲି ସେ ମତ ଦେଇଥିଲେ। ସଭାରେ   ବନ୍ୟା ସମ୍ପର୍କରେ ସମୟଭିତ୍ତିକ ପ୍ରାକ୍ ସ୍ଥିତିର ସଠିକ ଆକଳନ କରିବା, ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଅନଲାଇନ୍ ବ୍ୟବସ୍ଥାରେ ଜଳ ଆବଣ୍ଟନ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ବିଭାଗୀୟ ବିଭିନ୍ନ କାର୍ଯ୍ୟର ତଦାରଖ ବ୍ୟବସ୍ଥାକୁ ଦକ୍ଷତାର ସହ ନିର୍ବାହ କରିବା, ଭୂତଳ ଜଳର ସଠିକ ମାତ୍ରା ଜାଣିବା ବିଷୟ ରେ ଆଲୋଚନା କରଯାଇଥିଲା। ପୌର ଅଧ୍ୟକ୍ଷା  ଜଳ ସମ୍ପଦର ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ସମ୍ପନ୍ନ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କ ସହଭାଗିତାକୁ  ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ  ତାଳଦଣ୍ଡା ସେଚାଞ୍ଚଳ ଓ ମାଛଗାଁ ସେଚାଞ୍ଚଳ ଅନ୍ତର୍ଗତ ସମସ୍ତ ପାଣି ପଞ୍ଚାୟତ ର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ , ଜିଲ୍ଲା ସ୍ତରୀୟ ଅଧିକାରୀ, ଜଳ ସଂପଦ ବିଭାଗର ଯନ୍ତ୍ରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଥିଲେ।

 ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ପାଣିପଞ୍ଚାୟତ ସଚେତନତା ରଥ  ମାନ୍ୟବର ସାଂସଦ, ଜଗତସିଂହପୁର, ଶ୍ରୀ ବିଭୁ ପ୍ରସାଦ ତରାଇ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା। ଯାହା ଏହି ପକ୍ଷରେ ଜିଲ୍ଲାର ତାଳଦଣ୍ଡା ଓ ମାଛଗାଁ କେନାଲ୍ ର ସମସ୍ତ ସେଚାଞ୍ଚଳ ରେ ୪ଦିନ ଧରି ପରିଭ୍ରମଣ କରି  ପ୍ରତ୍ୟେକ ବିଭାଜନରେ ମଧ୍ୟ ବୁଲିବା ସହିତ ଜନସାଧାରଣ ମାନଙ୍କୁ , ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ, ଜଳସେଚନ ପ୍ରଣାଳୀର ସୁପରିଚାଳନା ବିଷୟରେ ବୁଝାଇବାରେ ସହାୟକ ହେବ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ମହାନଦୀ ଦକ୍ଷିଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଜଗତସିଂହପୁର, ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ରଥ ର ଶୁଭାରମ୍ଭ କରିଥିଲେ।

ସୂଚନା ଥାଉକି, ଆସନ୍ତା ୧୩ ତାରିଖରେ ଏହି ପାଣି ପଞ୍ଚାୟତର ଜିଲ୍ଲା ସ୍ତରୀୟ ଉଦଯାପନୀ କାର୍ଯ୍ୟକ୍ରମ, ବିଜୁ କନଭେନସନ ହଲ୍, ପାରାଦ୍ଵୀପ ପରିସର ରେ ପାଳନ କରାଯିବ ।

Leave a Reply

Your email address will not be published. Required fields are marked *