କେନ୍ଦ୍ରାପଡ଼ା,୦୫/୦୧/୨୦୨୬(ଓଡ଼ିଶା ସମାଚାର)-ଯୁକ୍ତରାଷ୍ଟ୍ର ଆମେରିକାର ନବ-ସାମ୍ରାଜ୍ୟବାଦୀ ଟ୍ରଷ୍ଟ ପ୍ରଶାସନ ଗତ ଶନିବାର ମଧ୍ୟରାତ୍ରରେ ଦକ୍ଷିଣ-ଆମେରିକୀୟ ରାଷ୍ଟ୍ର ଭେନ୍ଜୁଏଲା ଉପରେ ଅତର୍କିତ ଆକ୍ରମଣ କରି ସେହି ରାଷ୍ଟ୍ରର ନିର୍ବାଚିତ ରାଷ୍ଟ୍ରପତି ନିକୋଲାସ ମାଡୁରୋ ଏବଂ ତାଙ୍କ ସହଧର୍ମିଣୀଙ୍କୁ ଅପହରଣ କରି ନେବା ବିରୁଦ୍ଧରେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ (ଇସ୍କଫ୍) ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।
ସଂଗଠନର ଜିଲା ସଭାପତି ଡ. ବାସୁଦେବ ଦାସଙ୍କ ପରିଚାଳନାରେ ପବ୍ଲିକ ରିଡିଙ୍ଗ୍ ରୁମ୍ ପରିସରରେ ଏହି ପ୍ରସଙ୍ଗରେ ଆୟୋଜିତ ସଭାରେ ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ ଭେନେଜୁଏଲାବାସୀଙ୍କ ପ୍ରତି ସଂହତି ପ୍ରକାଶ କରିବା ସହ ସେହି ଦେଶର ରାଷ୍ଟ୍ରପତି ଦମ୍ପତିଙ୍କ ମୁକ୍ତି ଓ ନିର୍ବାଚିତ ସରକାରର ପୁନଃ ସ୍ଥାପନ ନିମନ୍ତେ ଜାତିସଂଘ ସମେତ ବିଭିନ୍ନ ଆନ୍ତର୍ଜାତୀୟ ଫୋରମରେ ଭାରତ ସରକାର ଦୃଢ଼ ସ୍ୱର ଉତୋଳନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ ।
ଏହା ଉପରେ ରାଜ୍ୟ ଉପସଭାପତି ଅଧ୍ୟାପକ ଅଜୟ ସାମଲ, ଡ. ନାରାୟଣ ପତି, ଡ. ଚୈତନ୍ୟ ଚରଣ ପରିଡା, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଶୁଭ୍ରାଂଶୁ ଦାସ, ନାରୀନେତ୍ରୀ ଅବନ୍ତି ବେହେରା, ଗୟାଧର ଧଳ, ଭାଗୀରଥି ଜେନା, ସାମ୍ବାଦିକ ଆଶିଷ ସେନାପତି, ଶୈଳବାଳା ସାମଲ, ରାଜକିଶୋର ପଟ୍ଟନାୟକ ପ୍ରମୁଖ ଆଲୋଚନା କରି ଜିଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବାକୁ ମତ ପୋଷଣ କରିଥିଲେ । ରାଜ୍ୟ ପରିଷଦ ସଭ୍ୟ ଅଭିମନ୍ୟୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିଲା ।
