ଗରଦପୁର,୦୩/୦୧/୨୦୨୬(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ପୁନ୍ଦାଳ ବଜାର ରେ ଥିବା ଚାରୋଟି ଦୋକାନକୁ ଦୁର୍ବୃତମାନେ ତାଡ଼ି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି । ଦୋକାନ ଲୁଟ କରିବା ପରେ ଦୋକାନରେ ନିଆଁ ଲଗାଇ ଜାଳିଦେଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅନୁସନ୍ଧାନ ଜାରି ରଖିଥିବାବେଳେ ସିସିଟିଭି ଫୁଟେଜ ଆଧାରରେ ଜଣକୁ ଥାନାରେ ଅଟକ ରଖିଛି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ପୁନ୍ଦାଳ ବଜାରରେ ଥିବା ମହେନ୍ଦ୍ର ସାହୁ, କୁଂଜ ପ୍ରତାପ ସାହୁ ଓ ଯଦୁମଣି ସାହୁ ଙ୍କ ଗୋଦାମ ଗୃହ କୁ ଦୁର୍ବୃତମାନେ ତାଡ଼ି ଗୋଦାମ ଗୃହ ମଧ୍ୟରୁ ଟଙ୍କା ପଇସା ଓ ବିଭିନ୍ନ ସାମଗ୍ରୀ ଲୁଟ କରିଥିଲେ । ପରେ ଜୟନ୍ତ ସାମଲଙ୍କ ଷ୍ଟେସନାରୀ ଦୋକାନ ତାଡ଼ି ଦୋକାନରୁ ବିଭିନ୍ନ ସାମଗ୍ରୀ ଲୁଟିନେଇ ନିଆଁ ଲଗାଇ ଦେଇଥିଲେ । ସେହିଭଳି ନିକଟରେ ଥିବା ଅନ୍ତର୍ଯ୍ୟାମୀ ନାଥ , ଅଶୋକ ପରିଡ଼ାଙ୍କ ଭେରାଇଟି ଷ୍ଟୋର ର ସଟର ତାଲା ତାଡ଼ିବାରେ ବିଫଳ ହୋଇଥିଲେ । ଲୁଟପାଟ କରି ନିଆଁ ଲଗାଇ ଯିବା ସମୟରେ ବଜାର ଭିତରେ ଜଗନ୍ନାଥ କ୍ଲଥ ଷ୍ଟୋର ଓ ଦିନବନ୍ଧୁ ନାଥ ଙ୍କ ଦୋକାନରେ ଲାଗିଥିବା ସିସିଟିଭି ଗୁଡ଼ିକ ଭାଙ୍ଗି ଦେଇଥିଲେ । ଏପରିକି ପିଲର ଉପରେ ଚଢ଼ି ସିସିଟିଭି କ୍ୟାମେରା ଦୁର୍ବୃତମାନେ ଭାଙ୍ଗୁଥିବାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି ।
ନିଆଁ ଜଳୁଥିବା ଦେଖି ସକାଳ ୫ ଟା ବେଳେ କୋରୁଆ ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନୀଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ଲୋକଙ୍କ ଠାରୁ ଖବର ପାଇ ତତକ୍ଷଣାତ୍ ଘଟଣାସ୍ଥଳରେ ପାଟକୁରା ଥାନା ଆଇଆଇସି ମହମ୍ମଦ ଜାମସେଦ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ବଜାରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଂଚ କରିଥିଲେ । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଗତକାଲି ରାତି ୧୨ ଟା ପରେ ଗୋଟିଏ ମୋଟର ସାଇକେଲ ରେ ଦୁର୍ବତମାନେ ନଦୀ ବନ୍ଧରେ ଆସିଛନ୍ତି ଓ ବଟବାବା ମନ୍ଦିର ନିକଟରେ ନଦୀବନ୍ଧ ତଳକୁ ଯାଇ କିଛି ସମୟ ପରେ ଲଲାଟେନ୍ଦୁ ମାନସିଂ ଙ୍କ ଦୋକାନ ଆଗରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗିବାର ଦୃଶ୍ୟ ଏକଦ ହୋଇଛି ।
