ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟୀକାକରଣ ଅଭିଯାନ ଉଦ୍‌ଘାଟିତ

ଯାଜପୁର,୨୨/୧୧/୨୦୨୬(ଓଡ଼ିଶା ସମାଚାର) –ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ ପିପି ସେଣ୍ଟର (PP Centre) ଠାରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନଗେନ୍ଦ୍ର ନାଥ ମହାପାତ୍ର ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରି ଏହି ଅଭିଯାନର ଶୁଭ ଉଦ୍‌ଘାଟନ କରିଥିଲେ।ପ୍ରଥମେ ଜସ୍ମିନ ବିଶ୍ୱାଳ ଙ୍କ ଶିଶୁକନ୍ୟା ଜାନଭି ରାଉତ ଙ୍କୁ ମୁଖ୍ୟ ଚିକିତ୍ସା ଅଧିକାରୀ ପଲସ ପୋଲିଓ ବୁନ୍ଦା ପ୍ରଦାନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

ଚଳିତ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଜିଲ୍ଲାରେ ଏହି ଟୀକାକରଣ ଅଭିଯାନ ଚାଲିବ। ପ୍ରଥମ ଦିନରେ ବିଭିନ୍ନ ଟୀକାଦାନ କେନ୍ଦ୍ରରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏହାପରେ ୨୩ ଓ ୨୪ ତାରିଖରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ଟୀକାଦାନରୁ ବଞ୍ଚିତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ।

ଏହି ଅଭିଯାନରେ ଯାଜପୁର ଜିଲ୍ଲାର ୦ରୁ ୫ ବର୍ଷ ବୟସର ମୋଟ ୧,୭୮,୪୭୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲ୍ଲାରେ ୮୪୬ଟି ପୋଲିଓ ବୁଥ୍, ୩୫ଟି ଟ୍ରାଞ୍ଜିଟ୍ ପଏଣ୍ଟ ଏବଂ ୨୧ଟି ମୋବାଇଲ୍ ଟିମ୍ ନିୟୋଜିତ କରାଯାଇଛି। ଅଭିଯାନର ସଫଳ ରୂପାୟନ ନିମନ୍ତେ ୩,୩୮୪ ଜଣ ଟୀକାଦାନ କର୍ମୀ ଓ ୧୬୫ ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି।

ଶୂନରୁ ପାଞ୍ଚ ବର୍ଷ ବୟସର କୌଣସି ଶିଶୁ ଯେପରି ପୋଲିଓ ବୁନ୍ଦା ପାଇବାରୁ ବଞ୍ଚିତ ନ ହୁଏ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଏହି ଜନସ୍ୱାସ୍ଥ୍ୟ ଅଭିଯାନକୁ ସଫଳ କରିବା ନିମନ୍ତେ ଅଭିଭାବକମାନେ ନିଜ ଶିଶୁଙ୍କୁ ନିକଟସ୍ଥ ପୋଲିଓ ବୁଥ୍‌କୁ ନେଇ ଦୁଇ ବୁନ୍ଦା ପୋଲିଓ ଟୀକା ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ଇମ୍ୟୁନାଇଜେସନ୍ ବିଭାଗର ଡା. ଗୋପାଳ ଚନ୍ଦ୍ର ମଲ୍ଲିକ , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ )ଶ୍ରୀ ଶୁଭ୍ରଜିତ୍ ପୃଷ୍ଟି (ଆଇ ସି ଏ ), ଶ୍ରୀ ରମେଶ କୁମାର ମିଶ୍ର (ସିସିଟି )ଶ୍ରୀମତୀ କଳ୍ପନା ଦାସ (ଡିଭିଏଲଏମ ) ଏବଂ ଶ୍ରୀମତୀ ସଞ୍ଜୁକ୍ତା ପଣ୍ଡା (ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ଯୋଗାଯୋଗ ଅଧିକାରୀ ) ରମାକାନ୍ତ ବାରିକ୍, ଅନୁସୁୟା ଦ୍ୱିବେଦୀ,  ଶୁଭସଙ୍ଗିତା ମଲ୍ଲିକ, ଶୁଭଶ୍ରୀ ଧୀର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *