ଦୃଷ୍ଟିହୀନ ଦମ୍ପତିଙ୍କ ନାମରେ ଋଣ କରି ଲୁଟ୍ ଘଟଣା

ଅଭିଯୁକ୍ତ ବିଜେପି ମଣ୍ଡଳ ସଭାପତିଙ୍କ ଆଗୁଆ ଜାମିନ ନାକଚ
କେନ୍ଦ୍ରାପଡ଼ା, ୨୨/୧୧/୨୦୨୬(ଓଡ଼ିଶା ସମାଚାର) – କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅଧୀନ ପଳାସପୁର ଗ୍ରାମର ଏକ ଦୃଷ୍ଟିହୀନ ଦମ୍ପତିଙ୍କ ଅସହାୟତାର ସୁଯୋଗ ନେଇ ସେମାନଙ୍କ ନାମରେ ବେଆଇନ ଭାବେ ଋଣ କରାଇ ସମ୍ପୂର୍ଣ୍ଣ ଋଣ ଅର୍ଥକୁ ହଡ଼ପ କରିବା ଘଟଣାରେ ଅଭିଯୁକ୍ତ ବିଜେପି ନେତାଙ୍କୁ ଓଡ଼ିଶା ହାଇକୋର୍ଟରୁ ବଡ଼ ଝଟକା ଲାଗିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ମହାକାଳପଡ଼ା ବିଧାୟକଙ୍କ ପାଖଲୋକ ଓ ବିଜେପି ମଣ୍ଡଳ ସଭାପତି ରଶ୍ମୀରଞ୍ଜନ ରାଉତରାୟ ଓରଫ ରଶ୍ମୀରଞ୍ଜନ ରାଉତ ଏବଂ ତାଙ୍କ ପତ୍ନୀ ମାନସୀ ସ୍ୱାଇଁଙ୍କ ଆଗୁଆ ଜାମିନ ଆବେଦନକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି । କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ବିଚାରାଧୀନ ଜି.ଆର. କେସ୍ ନମ୍ବର ୨୪୬୯/୨୦୨୫ ଏବଂ ମାର୍ଶାଘାଇ ଥାନା କେସ୍ ନମ୍ବର ୩୮୧/୨୦୨୫ ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ଅଭିଯୁକ୍ତ ରଶ୍ମୀରଞ୍ଜନ ଓ ତାଙ୍କ ପତ୍ନୀ ମାନସୀ ସ୍ୱାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅଭିଯୋଗକାରୀଙ୍କ ଦୃଷ୍ଟିହୀନତାର ସୁଯୋଗ ନେଇ ଅଭିଯୁକ୍ତମାନେ ତାଙ୍କ ନାମରେ ଋଣ ଆକାଉଂଟ ଖୋଲି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଜଣେ ଦୃଷ୍ଟିହୀନ ବ୍ୟକ୍ତି ରଖିଥିବା ବିଶ୍ୱାସକୁ ଅତି ନିର୍ଲଜ ଭାବେ ଭଙ୍ଗ କରାଯାଇଥିବାରୁ ଅଦାଲତ ଏହାକୁ ଗୁରୁତର ସହ ନେଇଛନ୍ତି । ଏଭଳି ସ୍ଥିତିରେ ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ପାଇଁ ଅଦାଲତ ମନା କରିବା ସହ ସେହି ଆବେଦନକୁ ଖାରଜ କରିଦେଇଛନ୍ତି । ତେବେ ଅଭିଯୁକ୍ତମାନେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିପାରିବେ ଏବଂ ନିମ୍ନ ଅଦାଲତ ମାମଲାର ଗୁରୁତ୍ୱକୁ ବିଚାର କରି ନିଷ୍ପତି ନେବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଯେ ପଳାସପୁର ଗ୍ରାମର ଦୃଷ୍ଟିହୀନ ଦମ୍ପତି ସୋନୁ ମଳିକ ଓ ତାଙ୍କ ପତ୍ନୀ ରିଙ୍କି ମଳିକଙ୍କ ଅଜାଣତରେ ଭାରତ ଫାଇନାନ୍ସ କମ୍ପାନୀରୁ ଏକ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଋଣ ଉଠାଇ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା ।

ରିଙ୍କି ପ୍ରତି ମାସରେ ଭତା ଉଠାଇବା ପାଇଁ ଗ୍ରାମରେ ଥିବା ରଶ୍ମୀରଞ୍ଜନଙ୍କ ଜନସେବା କେନ୍ଦ୍ରକୁ ଯାଉଥିଲେ । ସେଠାରେ ଥିବା ରିଙ୍କିଙ୍କ ଟିପଚିହ୍ନ ଓ ଆଧାର ତଥ୍ୟର ଅପବ୍ୟବହାର କରି ରଶ୍ମୀରଞ୍ଜନ ଏବଂ ଭାରତ ଫାଇନାନ୍ସ କମ୍ପାନୀର ଋଣ ପରିଚାଳକ ଥିବା ତାଙ୍କ ପତ୍ନୀ ମାନସୀ ସ୍ୱାଇଁ ମିଳିତ ଭାବେ ଏହି ଋଣ କରି ସମ୍ପୂର୍ଣ୍ଣ ଅର୍ଥ ଲୁଟି ନେଇଥିଲେ । କମ୍ପାନୀର ଶାଖା ପରିଚାଳକ ଘରକୁ ଆସି ଋଣ ଶୁଝିବାକୁ କହିବା ପରେ ଦୃଷ୍ଟିହୀନ ଦମ୍ପତି ଏହି ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏନେଇ ରିଙ୍କି ୨୦୨୫ ମସିହା ଡିସେମ୍ବର ୯ ତାରିଖରେ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪), ୨୯୬, ୩୫୧(୨) ଓ ୩(୫)ରେ ମାମଲା (କେସ୍ ନଂ-୩୮୧/୨୦୨୫) ରୁଜୁ କରିଥିଲା ।

ମାତ୍ର ରାଜନୈତିକ ଚାପ ଯୋଗୁଁ ପୋଲିସ ତଦନ୍ତରେ ଶିଥିଳତା ଦେଖାଉଥିବା ଏବଂ ଅଭିଯୁକ୍ତମାନେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ନେଇ ଦମ୍ପତି ପୂର୍ବରୁ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ସେହିପରି ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତ ଦମ୍ପତିଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଦାବିରେ ସମାଜସେବୀ ଚିତରଞ୍ଜନ ଦାସ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ହାଇକୋର୍ଟଙ୍କ ଦ୍ୱାରା ଅଭିଯୁକ୍ତଙ୍କ ଆଗୁଆ ଜାମିନ ଖାରଜ ହେବା ପରେ ପୀଡ଼ିତ ଦମ୍ପତିଙ୍କୁ ନ୍ୟାୟ ମିଳିବା ନେଇ ଆଶା ସଂଚାର ହୋଇଛି ।

Leave a Reply

Your email address will not be published. Required fields are marked *