କେନ୍ଦ୍ରାପଡ଼ା, ୦୭/୧୦/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଂଚାୟତରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ଅନିୟମିତତା କରାଯାଇଥିବା ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ପଂଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ପଂଚାୟତବାସୀମାନେ ଅଭିଯୋଗ କରିଛନ୍ତି ଯେ ସେହି ପାନୀୟ ଜଳ ପ୍ରକଳ୍ପରୁ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ବହୁତ ଧିର ଗତିରେ ଆସୁଥିବା ବେଳେ ଅନେକ ସ୍ଥାନରେ ପାଇପ୍ ଫାଟି ଯାଇଥିବା ଯୋଗୁଁ ଲୋକମାନେ ପାନୀୟ ଜଳ ପାଇବାରୁ ବଂଚିତ ହୋଇଛନ୍ତି । ଫଳରେ ପଂଚାୟତବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଆଳି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପଂଚାୟତବାସୀ ଅଭିଯୋଗ କରିବା ପରେ ବି କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ବରଂ ତୃଟିକୁ ଘୋଡାଇବା ପାଇଁ ଏସଇଏମଙ୍କୁ ଏହି ପ୍ରକଳ୍ପ ଚଳାଇବାକୁ ନଦେଇ ଅନ୍ୟଜଣଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ତେଣୁ ଏହି ସ୍ୱଜଳଧାରା ପ୍ରକଳ୍ପଟିକୁ ଯାଂଚ କରାଯାଇ ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ପୁନଃ ନିର୍ମାଣ କରାଯିବା ପାଇଁ ପଂଚାୟତବାସୀଙ୍କ ପକ୍ଷରୁ ବିବେକାନନ୍ଦ ଦାଶ, ଅମୂଲ୍ୟ ମଳିକ, ବିରଂଚି ନାରାୟଣ ମଲିକ, ହରେକୃଷ୍ଣ ମଳିକ, ରମେଶ ମଳିକ, ଚଗଲା ମଳିକ, ଇଶ୍ୱର ମଳିକ ପ୍ରମୁଖ ଜିଲାପାଳଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ଭେଟି ଅଭିଯୋଗ କରିଛନ୍ତି ।